(ଶୁଭସ୍ମିତା ଦାଶ): ସାବରୀମାଳା ମନ୍ଦିରରେ ମହିଳାଙ୍କ ପ୍ରବେଶକୁ ନେଇ କେରଳରେ ରାଜନୀତି ଜୋର ଧରିବାରେ ଲଗିଛି । ମହିଳାଙ୍କ ମନ୍ଦିର ପ୍ରବେଶକୁ ନେଇ ଯେଉଁ କଟକଣା ଥିଲା ସୁପ୍ରିମ୍ କୋର୍ଟ ତାହାକୁ ଉଠାଇଥିଲେ । ଫଳରେ ମହିଳାଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଥିଲା । ହେଲେ ଅନ୍ୟପଟେ କୋର୍ଟଙ୍କ ଏହି ରାୟ ବିରୁଦ୍ଧରେ ସ୍ୱର ଉଠିବାରେ ଲାଗିଛି । ଏହି ରାୟ ଉପରେ ପୁନର୍ବିଚାର କରିବାକୁ ଆବେଦନ କରାଯାଇଛି । ମାତ୍ର କେରଳର ସାବରୀମାଳା ମନ୍ଦିରରେ ୧୦ରୁ ୫୦ବର୍ଷିୟା ମହିଳାଙ୍କ ପ୍ରବେଶ ଉପରେ ତ୍ୱରିତ୍ ପୁନର୍ବିଚାର କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। କୋର୍ଟ ପକ୍ଷରୁ ମନ୍ଦିରରେ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ମନା କରିଦିଆଯାଇଛି। ରାୟର ପୁନର୍ବିଚାର ପାଇଁ ଆଗତ ଆବେଦନକୁ ମଙ୍ଗଳବାର ସୁପ୍ରିମକୋର୍ଟ ଗ୍ରହଣ କରିଥିଲେ ମଧ୍ୟ କେବେ ଶୁଣାଣି ହେବ ସେ ସମ୍ପର୍କରେ ନିର୍ଦ୍ଦିଷ୍ଟ ତାରିଖ ଘୋଷଣା କରିବାକୁ ମନା କରିଦେଇଛନ୍ତି। ମନ୍ଦିର ୧୬ ଅକ୍ଟୋବରରେ ଖୋଲୁ ଥିବାରୁ ଏହା ପୂର୍ବରୁ ମହିଳାଙ୍କ ପ୍ରବେଶ ଉପରେ ପ୍ରତିବନ୍ଧକ ଲଗାଇବାକୁ ଆବେଦନକାରୀ ସେମାନଙ୍କ ଆବେଦନରେ ଦର୍ଶାଇଥିଲେ।
କେରଳ ସରକାର ସୁପ୍ରିମକୋର୍ଟର ରାୟକୁ ପୁନର୍ବିଚାର ସପକ୍ଷରେ ନଥିବାରୁ ବିଜେପି ଏହାକୁ ନେଇ ଆନ୍ଦୋଳନ ଜୋର କରିଛି। ଏନଡିଏ ପକ୍ଷରୁ ପାଣ୍ଡାଲାମଠାରୁ ତିରୁଭାନନ୍ତପୁରମ ପର୍ୟ୍ୟନ୍ତ ସାବରୀମାଳା ବିରୋଧ ଯାତ୍ରା କରିବାକୁ ସ୍ଥିର କରାଯାଇଛି। ୧୦ଅକ୍ଟୋବରରୁ ଆରମ୍ଭ ହୋଇ ଏହି ଯାତ୍ରା ୧୫ଅକ୍ଟୋବରରେ ରାଜ୍ୟ ସଚିବାଳୟ ନିକଟରେ ଶେଷ ହେବ। ମନ୍ଦିର ୧୬ଅକ୍ଟୋବରରେ ଖୋଲୁଥିବାରୁ ସମୟ ଅତିବାହିତ ହେବା ସହ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି।
ସୁପ୍ରିମକୋର୍ଟ ରାୟକୁ ବିରୋଧ କରି ମଙ୍ଗଳବାରଠାରୁ ଭକ୍ତମାନଙ୍କ ପକ୍ଷରୁ ତିରୁଭାନନ୍ତପୁରମ ସଚିବାଳୟ ସମ୍ମୁଖରେ ଅନଶନ ଆରମ୍ଭ ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନରଇ ବିଜୟନ୍ ଏଥି ନିମନ୍ତେ ଆରଏସଏସକୁ ଦାୟୀ କରିଛନ୍ତି। ସାମ୍ପ୍ରତିକ ସ୍ଥିତିର ଫାଇଦା ନେବା ପାଇଁ ଆରଏସଏସ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି କରୁଛି ବୋଲି କେରଳ ମୁଖ୍ୟମନ୍ତ୍ରୀ ଅଭିଯୋଗ କରିଛନ୍ତି।