କାଶ୍ମୀର ପାଇଁ ଆବଶ୍ୟକ ହେଲେ ଜୀବନ ଦେବୁ: ସାହା

0

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ମଙ୍ଗଳବାର ଲୋକସଭାରେ ଧାରା ୩୭୦ ହଟାଇବାର ବିଲ୍ କୁ ଆଗତ କରିଛନ୍ତି କେନ୍ଦ୍ରୀୟ ଗୃହମନ୍ତ୍ରୀ ଅମିତ୍ ସାହା । ଯାହାକୁ ନେଇ ଗୃହରେ ହଙ୍ଗାମା ହୋଇଛି। କଂଗ୍ରେସ ପକ୍ଷରୁ ଆରୋପ ଲଗାଯାଇଛି କି, ସରକାର ନିୟମ ଉଲ୍ଲଂଘନ କରିବା ସହ ରାତାରାତି ଗୋଟେ ରାଜ୍ୟକୁ କେନ୍ଦ୍ରଶାସିତ ଅଞ୍ଚଳ କରିଦେଇଛନ୍ତି । ସାହା ଏହାର ଉତ୍ତରରେ କହିଛନ୍ତି କି କେଉଁ ନିୟମ ଭଙ୍ଗ କରାଯାଇଛି ? ଶ୍ରୀନଗରରେ ୧୪୪ ଧାରା ଜାରି ରହିଥିଲେ ମଧ୍ୟ ଜରୁରୀ କାମ ପାଇଁ ଲୋକେ ବାହାରକୁ ବାହାରୁଛନ୍ତି ଏବଂ ସେଠାରେ ଶାନ୍ତି ବଜାୟ ରହିଛି ।
ଗୃହମନ୍ତ୍ରୀ ଗୃହରେ ଉଦ୍ବୋଧ ଦେଇ କହିଛନ୍ତି, ଏହି ପ୍ରସ୍ତାବ ଏବଂ ବିଧେୟକ ଭାରତ ଇତିହାସରେ ସ୍ୱର୍ଣ୍ଣ ଅକ୍ଷରରେ ଲେଖାହେବ । ଏକ ସମ୍ବିଧାନ ପାଇଁ ରାଷ୍ଟ୍ରପତି ଗତକାଲି ଆଦେଶ ଦେଇଛନ୍ତି । ସେହି ଅନୁଯାୟୀ ଭାରତ ସମ୍ବିଧାନର ସମସ୍ତ ନିୟମ ଜାମ୍ମୁ-କାଶ୍ମୀରରେ ଲାଗୁ ହେବ । ଏହା ସହିତ କାଶ୍ମୀର ଆଉ ସ୍ୱତନ୍ତ୍ର ରାଜ୍ୟ ହୋଇ ରହିବ ନାହିଁ । ଏନେଇ ମୁଁ ପୁର୍ନଗଠନ ବିଲ ନେଇ ଆସିଛି । ଜାମ୍ମୁ-କାଶ୍ମୀର ଭାରତର ଅବିଚ୍ଛେଦ ଅଙ୍ଗ ଓ ପିଓକେ କାଶ୍ମୀର ସୀମାରେ ରହିଛି । ଏହା ପାଇଁ ଆବଶ୍ୟକ ହେଲେ ଜୀବନ ଦେଇଦେବୁ । ଏହା ଉପରେ କୌଣସି ଆଇନ କିମ୍ବା ସାମ୍ବିଧାନିକ ବିବାଦ ନାହିଁ । ଜାମ୍ମୁ ଏବଂ କାଶ୍ମୀର ଉପରେ ଆଇନ ବନାଇବାର ଅଧିକାର ସଂସଦର ରହିଛି । କେହି ଆମକୁ ଆଇନ ବନାଇବାରେ ରୋକି ପାରିବେ ନାହିଁ ।