ସାହିଦଙ୍କ ନାୟିକା ସାଜିବେ ପୂଜା , ରୋମାଣ୍ଟିକ ଥ୍ରୀଲରରେ ନଜର ଆସିବେ

0

ମୁମ୍ଵାଇ : ‘ରାଧେ ଶ୍ୟାମ’, ‘ସର୍କସ’, ‘କିସି କା ଭାଇ କିସି କି ଜାନ୍‌’ ଭଳି ହିନ୍ଦୀ ଫିଲ୍ମରେ ନିଜର ଅଭିନୟ ଯାଦୁ ଦେଖାଇ ସାରିଥିବା ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କୁ ଆଗକୁ ରୋମାଣ୍ଟିକ ଥ୍ରିଲର ‘ଦେବା’ରେ ଦେଖିବାକୁ ମିଳିବ । ସେଥିରେ ଅଭିନେତା ସାହିଦ କପୁରଙ୍କ ବିପକ୍ଷରେ ନାୟିକା ସାଜିବେ ସେ । ଆସନ୍ତାବର୍ଷ ରିଲିଜ୍‌ ହେବାକୁ ଥିବା ସେହି ଫିଲ୍ମକୁ ନେଇ ପୂଜା ଅନେକ ଆଶାବାଦୀ ଅଛନ୍ତି ।

ନିକଟରେ ଏ ସଂପର୍କରେ ଦେଇଥିବା ସାକ୍ଷାତକାରରେ ସେ କହିଛନ୍ତି, ‘ଦେବା’ ଏକ ବହୁତ ଭଲ ପ୍ରୋଜେକ୍ଟ । କାରଣ ଏହାର କାହାଣୀ ବିଲକୁଲ ନିଆରା । ଏଥିରେ ଦର୍ଶକେ ଆକ୍ସନ୍‌, ଡ୍ରାମାର ଏକ ଜବରଦସ୍ତ ସମ୍ମିଶ୍ରଣ ଦେଖିବାକୁ ପାଇବେ ଯାହାକି ସେମାନଙ୍କୁ ଆରମ୍ଭରୁ ଶେଷ ଯାଏ ବାନ୍ଧି ରଖିବାରେ ସମର୍ଥ ହେବ। ସେହିପରି ମୋର ପ୍ରଶଂସକମାନେ ଏଥିରେ ମୋତେ ଏକ ନୂଆ ପ୍ରକାର ଦମ୍‌ଦାର ଭୂମିକାରେ ଦେଖିବାକୁ ପାଇବେ ।

ସାହିଦଙ୍କ ସହିତ ଏହା ମୋର ପ୍ରଥମ ଫିଲ୍ମ ହୋଇଥିବାବେଳେ ଦର୍ଶକେ ଆମ ଯୋଡିକୁ ପସନ୍ଦ କରିବେ ବୋଲି ଆଶା । ରୋଶନ୍‌ ଆଣ୍ଡ୍ରୁଜ୍‌ ‘ଦେବା’ର ନିର୍ଦ୍ଦେଶନା ଦେଉଛନ୍ତି । ସିଦ୍ଧାର୍ଥ ରୟ କପୁର ପ୍ରଯୋଜନାରେ ରହିଛନ୍ତି । ଏଥିରେ ସାହିଦଙ୍କୁ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମରେ ସାହିଦଙ୍କର ଫାଷ୍ଟ ଲୁକ୍‌ ମଧ୍ୟ ବି ସାମ୍ନାକୁ ଆସି ସାରିଛି ।