ସାଲେପୁର/ ତାରାକାନ୍ତ ନାୟକ : ସାଲେପୁରକୁ ଭାଇଚାରାର ପ୍ରତୀକ ସହରବୋଲି କୁହାଯାଇଥାଏ । ସେହି କଟକ ଜିଲ୍ଲା ସାଲେପୁର ସହରରେ ମୁନ୍ସୀ ମେଳଣ ମହାସମାରୋହରେ ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଯାଇଛି ।।୧୯୨୬ ମସିହାରୁ ସାଲେପୁର ଥାନା ପକ୍ଷରୁ ମେଳଣର ଆୟୋଜନ କରାଯାଉଛି।ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ହୋଲି ସନ୍ଧ୍ୟାରେ ସାଲେପୁର ଥାନା ପରିସର ରେ ଜାତି,ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକାଠି ହୋଇ ଭୋଜି ରେ ସାମିଲ ହୋଇଥିଲେ। ସାଲେପୁର ଆଦର୍ଶଥାନା ତରଫରୁ ଆଇଆଇସି ଗିରିଜା ନନ୍ଦନ ପଟ୍ଟନାୟକ ଫାଟକ ସମ୍ମୁଖରୁ ଶ୍ରଦ୍ଧାଳୁ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଜନସାଧାରଣଙ୍କୁ ପାଛୋଟି ନେଇଥିଲେ।ଭାଇଚାରାର ପ୍ରତୀକ ପାଲଟିଥିବା ଏହି ମେଳଣ ରେ ୧୫ ରୁ ଅଧିକ ଠାକୁର ବିମାନ ଭାଗ ନେଇଥିଲେ।ଆଦର୍ଶ ଥାନା ପକ୍ଷରୁ ସାଲେପୁର ହାଟ ପଡ଼ିଆ ଦୁର୍ଗାମଣ୍ଡପରେ ସମସ୍ତ ବିମାନ ପୂଜାର୍ଚ୍ଚନା କରାଯିବା ସହ କର୍ମକର୍ତ୍ତା ଓ ସେବକ ମାନଙ୍କୁ ଅଭ୍ୟର୍ଥନା ପ୍ରଦାନ କରାଯାଇଥିଲା। ଗୁରୁବାର ପ୍ରତ୍ୟୁଷରୁ ଦିନ ୧୧ ଟା ପର୍ୟ୍ୟନ୍ତ ଜନସାଧାରଣ ଏହି ଯାତ୍ରାରେ ଭାଗ ନେଇଥିଲେ।ଏହି ଉପଲକ୍ଷେ ବାଣ,ବାଜା,ରୋଷଣୀ ରେ ସାଲେପୁର ବଜାରରୁ ସାଲେପୁର ହାଟ ପଡ଼ିଆ ପର୍ୟ୍ୟନ୍ତ ରାସ୍ତା ଉତ୍ସବ ମୁଖରିତ ହୋଇଉଠିଥିଲା।ସାଲେପୁର ଆଦର୍ଶ ଥାନାର ଆଇଆଇସି ଗିରିଜାନନ୍ଦନ ପଟ୍ଟନାୟକଙ୍କ ପ୍ରତେକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି ମେଳଣ ରେ ସାଲେପୁର ଉପଖଣ୍ଡ ପୋଲିସ ଅଧିକାରୀ ବିମଳ ଚନ୍ଦ୍ର ବାରିକଙ୍କ ସହ ସାଲେପୁର ଥାନାର କର୍ମଚାରୀ ମାନେ ପରିଚାଳନା କରିଥିଲେ। ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା,କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି,ସାଲେପୁର ବ୍ଲକ୍ କଂଗ୍ରେସ କମିଟି ସଭାପତି ବେଣୁଧର ପ୍ରଧାନ,ଶିଶୁଆ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ସଞ୍ଜୀବ ସାହୁ, ପୂର୍ବତନ ସରପଂଚ ରଣଜିତ୍ ଦାସ,ସରପଞ୍ଚ ଜ୍ଞାନରଞ୍ଜନ ପଟ୍ଟନାୟକ, ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି,ସାମ୍ବାଦିକ ଓ ବିଭିନ୍ନ ଥାନାର ଅଧିକାରୀମାନେ କାର୍ୟ୍ୟକ୍ରମରେ ଯୋଗ ଦେଇଥିଲେ।ଏହି ଅବସରରେ ସାଲେପୁର ଥାନା ପରିସର ଆଲୋକମାଳା ରେ ସୁସଜ୍ଜିତ କରାଯିବା ସହିତ ଉତ୍ସବ ମୁଖର ହୋଇ ଉଠିଥିଲା। ଏହି କାର୍ଯ୍ୟକ୍ରମରେ ମୁନସୀ ମେଳଣ ଓ ବିଭିନ୍ନ ବିମାନ କମିଟି କର୍ମକର୍ତ୍ତା ମାନେ ପରିଚାଳନାରେ ସହଯୋଗ କରିଥିଲେ।