ମୁମ୍ବାଇ : ପଂଜାବର କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶନୋୟୀର ଧମକ ପରେ, ଏବେ ଭାଇଜାନଙ୍କ ସୁରକ୍ଷା ବଢାଇ ଦେଇଛି ମୁମ୍ବାଇ ପୋଲିସ । ତାଙ୍କୁ ଏବେ ୨୪ ଘଣ୍ଟା ସଶସ୍ତ୍ର ପୋଲିସ ଜଗି ରହୁଛନ୍ତି । ଏହା ସହ ସଲମାନଙ୍କ ନିଜ ବ୍ୟକ୍ତିଗତ ବଡିଗାର୍ଡ ସାଙ୍ଗରେ ରହିବା ସହିତ କିଛି ପ୍ରାଇଭେଟ୍ ଆର୍ମଡ ବଡି ଗାର୍ଡ ବି ସଲମାନଙ୍କ ଚାରିପଟେ ଘେରି ରହୁଛନ୍ତି । ଏହା ପରେ ବି ସଲମାନ ନିଜ ସୁରକ୍ଷା ନେଇ ସନ୍ତୁଷ୍ଟ ନ ହେବାରୁ, ଏକ ଦାମୀ ବିଦେଶୀ ବୁଲେଟ୍ ପ୍ରୁଫ୍ କାର୍ କିଣିଛନ୍ତି । ଯାହାକୁ ନେଇ ସାରା ଦେଶରେ ଚର୍ଚ୍ଚା ।
ଏହି କାର୍ଟି ହେଉଛି ନିଶାନ କଂପାନୀର ପାଟ୍ରୋଲ ମଡେଲ । ଏହି କାରର ଦାମ୍ ଯେତିକି ଚର୍ଚ୍ଚିତ ନୁହେଁ ତା ଠୁ ଅଧିକ ଚର୍ଚ୍ଚିତ ଏହାର ସେଫ୍ଟି ଫିଚର । କାରଣ ଏହାର ବୁଲେଟ୍ ପ୍ରୁଫ୍ କାଚ ୪୧ ଏମଏମ ଓ ୭୮ ଏମଏମରେ ଆସିଥାଏ । ଏହା ସହ କାରର ବଡି ବି ବୁଲେଟ୍ ପ୍ରୁଫ୍ । ଏହା ସାର୍ଟ ଶୁଟରଙ୍କ ଲଙ୍ଗ ବ୍ୟାରେଲ୍ ବୁଲେଟ୍କୁ ପ୍ରତିରୋଧ କରିବାର କ୍ଷମତା ରଖୁଛି । ୫.୬ ଲିଟର ପେଟ୍ରୋଲ ଇଂଜିନ୍ ୪୦୦ ହର୍ସ ପାୱାର ସହିତ ୫୬୦ ଏନଏମ୍ର ଶକ୍ତି ରହିଛି କାରରେ ।
ଏହା ସହ ୭ ସ୍ପୀଡ ଅଟୋ ମେଟିକ୍ ଗିୟର ଫିଚର ରହିଛି ପାଟ୍ରୋଲରେ । ଏହା ସଂପୂର୍ଣ ଅଫ୍ ରୋଡ ଲକ୍ଜୁରୀ କାର୍ । ଏହା ପୂର୍ବରୁ ସଲମାନଙ୍କ ପାଖରେ ଟୟୋଟା କଂପାନୀର ବୁଲେଟ୍ ପ୍ରୁଫ୍ କାର ଲ୍ୟାଣ୍ଡ କ୍ରୁଜର ଏସଲି ୨୦୦ ରହିଛି । ତେବେ ଗ୍ୟାଙ୍ଗଷ୍ଟର ବିଶନୋୟୀର ଧମକ ନିୟମିତ ମିଳିବା ପରେ ମୁମ୍ବାଇ ପୋଲିସ, ଭାରତ ସରକାର ଓ ସଲମାନ ନିଜେ ଏହି ଘଟଣାକୁ ସିରିୟସରେ ନେଇଛନ୍ତି । ତେଣୁ ସରକାରୀ ସୁରକ୍ଷା ବ୍ୟବସ୍ଥା ସହ ସେ ନିଜ ନିଜର ସୁରକ୍ଷା ବଢାଇଛନ୍ତି ।
ପଂଜାବର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଶନୋୟୀ କୃଷ୍ଣ ମୃଗସାର ହରିଣକୁ ଅତି ପବିତ୍ର ମାନେ, ଆଉ ସଲମାନ ଏହି ପ୍ରଜାତିର ହରିଣକୁ ନିଜେ ଶିକାର କରିଥିଲେ, ଯେଉଁ ମାମାଲାରୁ ସେ ଦୋଷ ମୁକ୍ତ ହୋଇଛନ୍ତି । ହେଲେ ବିଶନୋୟୀ ଏହାକୁ ଗ୍ରହଣ କରୁନାହିଁ । ତେଣୁ ସେ ସଲମାନଙ୍କୁ ଗୁଳି ମାରି ହତ୍ୟା କରିବ ବୋଲି ଦୁଇ ଦୁଇ ଥର ଧମକ ଦେଇ ସାରିଛି ।