ଓଡିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ସନ୍ଦୀପ ପଟ୍ଟନାୟକ

0

ଭୁବନେଶ୍ୱର : ଆଜି ନୂଆ ଦାୟିତ୍ୱ ଗ୍ରହଣ କଲେ ସନ୍ଦୀପ ପଟ୍ଟନାୟକ  । ଓଡିଶା ଜଳ ବିଦ୍ୟୁତ ନିଗମର ନୂତନ ମାନବ ସମ୍ବଳ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ସେ ତିନି ବର୍ଷ ଧରି  ମାନବ ସମ୍ବଳ ପରିଚାଳନା, ନେତୃତ୍ୱ, ଔଦ୍ୟୋଗିକ ବିକାଶ ଏବଂ ଦକ୍ଷତା ବିକାଶ ଆଦି କ୍ଷେତ୍ରରେ  କାର୍ଯ୍ୟ କରିଛନ୍ତି ।  ଆହୁରି ମଧ୍ୟ ସନ୍ଦୀପ ପଟ୍ଟନାୟକଙ୍କର କାର୍ଯ୍ୟ କ୍ଷେତ୍ରରେ ସ୍ୱତନ୍ତ୍ର ପରିଚାଳନା, ସହଭାଗିତା ଏବଂ ଔଦ୍ୟୋଗିକ ସଂସ୍କୃତିର ସଠିକ ପରିଚାଳନା ଆଦି କ୍ଷେତ୍ରରେ ଦୀର୍ଘ ଅଭିଜ୍ଞତା ରହିଅଛି |

ଓଏଚପିସିରେ ଯୋଗଦେବା ପୂର୍ବରୁ ସନ୍ଦୀପ ପଟ୍ଟନାୟକ ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ଼ର ମାନବ ସମ୍ବଳ ଏବଂ ଦକ୍ଷତା ବିକାଶ ବିଭାଗର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଭାବରେ ସୁଚାରୁ ରୂପରେ ନିଜର ଦାୟିତ୍ବ ନିର୍ବାହ କରିଛନ୍ତି | ତାଙ୍କର ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ବଳରେ HALକୁ ଅନେକ ପ୍ରଶଂସନୀୟ ସ୍ୱୀକୃତି ମିଳିବା ସହିତ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଆସୋକାମ ସ୍ୱର୍ଣ୍ଣିମ ପୁରସ୍କାରରେ ସମ୍ମାନୀତ କରାଯାଇଛି | ସନ୍ଦୀପ ପଟ୍ଟନାୟକ ଏରୋସ୍ପେସ ଏବଂ ଆଭିଏସନ ସେକ୍ଟର ସ୍କିଲ କାଉନସିଲର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି | ଶ୍ରୀଯୁକ୍ତ ପଟ୍ଟନାୟକଙ୍କର କର୍ମମୟ ଜୀବନ ହିନ୍ଦୁସ୍ତାନ ଜିଙ୍କ ଲିମିଟେଡ଼ରେ ମ୍ୟାନେଜମେଣ୍ଟ ଟ୍ରେନି ଭାବରେ ଆରମ୍ଭ ହୋଇଥିଲା |