ଆଉ ନାହାଁନ୍ତି ସନ୍ଧ୍ୟା ଗୁରୁମା । ବାଇକ ଦୁର୍ଘଟଣାରେ ଝରୀଗାଁର ସନ୍ଧ୍ୟା ଗୁରୁମାଙ୍କ ଦେହାନ୍ତ ହୋଇଛି । ଦୀର୍ଘ ପଚିଶ ବର୍ଷ ଧରି ଏକ ଶିକ୍ଷାନୁଷ୍ଠାନ ଖୋଲି ଗୁରୁମା ଭାବେ ଅନେକ ପିଲାଙ୍କ ମାର୍ଗ ଦର୍ଶିକା ସାଜିଥିଲେ । ତାଙ୍କ ଦେହାନ୍ତ ଖବର ପାଇ ସମଗ୍ର ଝରୀଗାଁବାସୀ ଏବେ ମର୍ମାହତ । ସେ କେବଳ ଗୁରୁମା ନଥିଲେ ଝରୀଗାଁ ପାଇଁ ତାଙ୍କର ରହିଛି ଅସୀମ ଅବଦାନ। ଜଣେ ସ୍ବେଛାସେବୀ ଭାବେ ବିଭିନ୍ନ କାର୍ଯ୍ୟରେ ନିଜକୁ ସାମିଲ କରିବା ସହିତ ଝରୀଗାଁ ର ସେ ଥିଲେ ଜଣେ ଶୁଭ ଚିନ୍ତକ ।
ସୂଚନା ଅନୁଶାରେ ସେ ଶିକ୍ଷାନୁଷ୍ଠାନ କାର୍ଯ୍ୟରେ ନବରଙ୍ଗପୁର ଶିକ୍ଷାଧିକାରୀଙ୍କ ନିକଟକୁ ଯାଇ ଫେରୁଥିବା ବେଳେ ଡାବୁଗାଁ ସ୍ଥିତ ଆବାସିକ ବିଦ୍ୟାଳୟ ନିକଟରେ ଥିବା ହମ୍ପସରେ ବାଇକରୁ ଖସିପଡି ଥିଲେ । ଫଳରେ ମୁଣ୍ଡରେ ଗଭୀର ଆଘାତ ଲାଗିବା କାରଣରୁ ତାଙ୍କୁ ପ୍ରଥମେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆ ଯାଇଥିଲା । ଯାହାପରେ ତାଙ୍କୁ କୋରାପୁଟକୁ ସ୍ଥାନାନ୍ତରିତ କରା ଯାଇଥିଲା । ହେଲେ ସେଠାରେ ତାଙ୍କର ଦେହାନ୍ତ ହୋଇଥିଲା ।