ବ୍ୟୁରୋ: ଜାରିଙ୍ଗ ସ୍ଥିତ ସୀଲଭି କଲଚର ହାଇଟେକ ନର୍ସରୀରେ ରେଞ୍ଜ ଦାୟିତ୍ୱ ନେଇଥିବା ଫରେଷ୍ଟର ସଞ୍ଜୟ ନାୟକଙ୍କ ଆତ୍ମହତ୍ୟା ତାଙ୍କ ପରିବାରକୁ ଦୋହଲାଇ ଦେଇଛି । ତାଙ୍କ ପତ୍ନୀ ପ୍ରିୟଙ୍କା ଗଣମାଧ୍ୟମରେ ଘଟଣା ସମ୍ପର୍କରେ ସମ୍ୟକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ସଞ୍ଜୟ ଜଣେ ସଚୋଟ, ସମୟାନୁବର୍ତ୍ତୀ,କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ । ତାଙ୍କୁ ବିବାହ କରି ଜୀବନ ଟିକୁ ମୁଁ ସରସ ସୁନ୍ଦର ଭାବୁଥିବାବେଳେ ସବୁ କିଛି ଧୂଳିସାତ ହୋଇଯାଇଛି । ଡ଼ିଏଫଓ ବାରମ୍ବାର ପିସି ମାଗିବା କାରଣରୁ ସଞ୍ଜୟ ଚିନ୍ତାରେ ରହୁଥିଲେ । ୫୦ ପ୍ରତିଶତ ପିସି ସେ କେଉଁଠାରୁ କିପରି ଆଣିବେ ଏନେଇ ଟେନସନରେ ରହୁଥିଲେ ବୋଲି ସ୍ତ୍ରୀ ପ୍ରିୟଙ୍କା କହିଛନ୍ତି । ଆଲଟମେଣ୍ଟ ପହଂଚିବା କ୍ଷଣି ସଞ୍ଜୟଙ୍କ ଚିନ୍ତା ବଢିଯାଏ । ଅନେକ ଥର ବନ୍ଧୁବାନ୍ଧବଙ୍କୁ ଠାରୁ ଉଦ୍ଧାର ଆଣି ପିସି ଦେଇଥିଲେ । ନୂଆଖାଇ ପୂର୍ବରୁ ଲେବର ପେମେଣ୍ଟ ପାଇଁ ବଡ ସମସ୍ୟା ଥିଲା । ଆଲଟମେଣ୍ଟ ଆସିନଥିବାବେଳେ ଲେବର ପେମେଣ୍ଟ ମାଗିଥିଲେ । ଧାରକରଜରେ ପେମେଣ୍ଟ ଦିଆଯାଇଥିଲା । ପ୍ରତି ଥର ନିଜେ ତାଙ୍କ ଯୋଗାଡ଼ କରି ଲେବର ପେମେଣ୍ଟ ସହ ପିସି ଦେବା ଏକ କାର୍ଯ୍ୟରେ ପରିଣତ ହୋଇଥିଲା । ଡ଼ିଏଫଓ ଦେବେନ୍ଦ୍ର ବେହେରା ଧମକ ଦେଇ କୁହନ୍ତି ବଲାଙ୍ଗୀର ରେଞ୍ଜରୁ ଭଲ ପିସି ଆସୁଛି ତୁମେ କାହିଁକି ପାରୁନ ? ତୁମକୁ ବଲାଙ୍ଗୀର ବଦଳି କରି ଦିଆଯିବ ଜାରିଙ୍ଗକୁ ବଲାଙ୍ଗୀର ରେଞ୍ଜର ସମ୍ଭାଳିବେ । ପ୍ରକୃତରେ ତାହା ହିଁ ହେଲା ଏହା ସହ ଖୁବ ଶୀଘ୍ର କ୍ୱାର୍ଟର ଖାଲି କରିବାକୁ ସଞ୍ଜୟଙ୍କ ଉପରେ ଚାପ ପଡିଥିବା କହିଛନ୍ତି ଟସଙ୍କ ସ୍ତ୍ରୀ ପ୍ରିୟଙ୍କା । ଡିସେମ୍ବର ମାସ ପଦୋନ୍ନତିରେ ସଞ୍ଜୟ ଡେପୁଟି ରେଞ୍ଜର ହେବ ନେଇ ଖୁସି ଥିଲେ । ପ୍ରୀୟଙ୍କାଙ୍କୁ ମଧ୍ୟ ସେହି ଲିଷ୍ଟ ଦେଖାଇଥିଲେ ।କିନ୍ତୁ ହଠାତ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ତେବେ ପ୍ରିୟଙ୍କା ନିଜର ଓ ତାଙ୍କର ଦୁଇ ଜାଅଁଳା ପୁଅଙ୍କ ଭବିଷ୍ୟତ ପାଇଁ ଚିନ୍ତା ପ୍ରକଟ କରିବା ସହିତ ଡ଼ିଏଫଓ ଦେବେନ୍ଦ୍ର ବେହେରାଙ୍କୁ ସ୍ୱାମୀ ସଞ୍ଜୟଙ୍କ ମୃତ୍ୟୁ ପାଇଁ ଦାୟୀ କରିଛନ୍ତି । ଡ଼ିଏଫଓଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସକୁ କହିଛନ୍ତି ପ୍ରିୟଙ୍କା ।
ଏତଦବ୍ୟତୀତ, ନିଜର ଓ ନିଜ ପିଲାଙ୍କ ବର୍ତ୍ତମାନ ଓ ଭବିଷ୍ୟତ ପାଇଁ ଚାକିରୀ କରିବାକୁ ସରକାରଙ୍କୁ ନିବେଦନ କରିଛନ୍ତି। ପରିଶେଷରେ ସରକାରୀ ସ୍ତରରେ ଏଭଳି ୫୦ ପ୍ରତିଶତ ପିସି ମାଗୁଥିବା ଅଧିକାରୀଙ୍କ ପ୍ରତି ଦୃଢ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଅନୁରୋଧ କରିଛନ୍ତି । ଏସପିଙ୍କ କହିବା ମୁତାବକ ସୀଲଭି କଲଚର ଡ଼ିଏଫଓଙ୍କୁ ଦୁଇଟି ସମନ ପଠାଯାଇଛି । ତେବେ ଖୁବ ଶୀଘ୍ର ସବୁ କିଛି ସ୍ପଷ୍ଟ ହୋଇଯିବ ।