(ରିିପୋର୍ଟସ ଟୁଡେ / କଟକ ) : ଏସବିବି ମେଡ଼ିକାଲର ସଂପ୍ରସାରଣ ପାଇଁ ଅଣ୍ଟା ଭିଡ଼ିଛି ପ୍ରଶାସନ । ଏନେଇ ଆଜି ଏସସିବି ଚାରିକଡ଼ରୁ ଉଚ୍ଛେଦ କାର୍ୟ୍ୟ ଆରମ୍ଭ ହୋଇଛି। ପ୍ରଥମ ପର୍ୟ୍ୟାୟରେ ଯୋବ୍ରା ମାଛ ମାର୍କେଟରେ ଚାଲିଛି ଉଚ୍ଛେଦ। ଜିଲ୍ଲା ଓ ପୋଲିସ ପ୍ରଶାସନ ସହ ସିଏମସି ଅଧିକାରୀଙ୍କ ଉପସ୍ଥିତିରେ ଉଚ୍ଛେଦ ହେଉଛି। ରାସ୍ତାର ଉଭୟ ପାର୍ଶ୍ଵରେ ଥିବା ଦୋକାନ ଗୁଡ଼ିକର ଉଚ୍ଛେଦ ହେଉଛି।
ଉଲ୍ଲେଖଯୋଗ୍ୟ, ସିଏମସି ପକ୍ଷରୁ ସର୍ଭେ କରାଯାଇ ବସ୍ତିରେ ଥିବା ଘର ଗୁଡ଼ିକ ଚିହ୍ନଟ କରାଯାଇଛି ଓ ସେମାନଙ୍କୁ ଉଚ୍ଛେଦ ପ୍ରକ୍ରିୟା ବିଷୟରେ ସଚେତନ କରାଯାଇଛି। ଏପରିକି ବସ୍ତି ବାସୀନ୍ଦାଙ୍କୁ ଘର ଉଚ୍ଛେଦ ବଦଳରେ ଜଗତପୁରର ନିମପୁରରେ ଘର ତିଆରି ପାଇଁ ଜାଗା, ୫୦ ହଜାର ଟଙ୍କା ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦିଆଯିବ ବୋଲି କୁହାଯାଇଛି। ଏଥିପାଇଁ ନିମପୁରରେ ସଫେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହେଲାଣି। ଅପର ପକ୍ଷରେ ବସ୍ତି ବାସୀନ୍ଦାମାନେ ସରକାରଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରୁଥିବା ବେଳେ କିଛିକାଂଶରେ ଏହାକୁ ବିରୋଧ ମଧ୍ୟ କରୁଛନ୍ତି। ସେମାନେ ଦାବି କରୁଛନ୍ତି ଯେ, ଘର ବଦଳରେ ତାଙ୍କୁ ଘର ଦିଆଯାଉ।