ଜୋର ଧରିଲା ଶିକ୍ଷକ ନିଯୁକ୍ତି ଦାବି, ସ୍କୁଲରେ ତାଲା

0

(ମୋନାଲିସା ମିଶ୍ର): ଶିକ୍ଷାର ଉନ୍ନତି ପାଇଁ ସରକାର ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଅଣଦେଖାର ଶିକାର ହୋଇଛି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ମୋଟଙ୍ଗା ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ।ଏହି ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ତାଲା ପକାଇ ପ୍ରତିବାଦ କରିଛନ୍ତି ପରିଚାଳନା କମିଟି କର୍ମକର୍ତ୍ତା ଏବଂ ଗ୍ରାମବାସୀ।

୧୯୫୨ ମସିହାରୁ ସ୍ଥାପିତ ଉକ୍ତ ସ୍କୁଲରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ୟ୍ୟନ୍ତ ୧୮୪ ଜଣ ଛାତ୍ରଛାତ୍ରୀ ପଢୁଛନ୍ତି, ସେମାନଙ୍କ ଶିକ୍ଷାଦାନ ଲାଗି ନିଯୁକ୍ତି ହୋଇଛନ୍ତି ମାତ୍ର ୩ଜଣ ଶିକ୍ଷା ସହାୟକ।ଦୀର୍ଘ ଦିନ ଧରି ପ୍ରଧାନ ଶିକ୍ଷକ ପଦ ଖାଲି ପଡ଼ିଛି।ଏହାକୁ ବାଦ ଦେଲେ ବିଦ୍ୟାଳୟରେ ଭଙ୍ଗା ପାଚେରୀ, ପାନୀୟ ଜଳର ଅସୁବିଧା,ବିଦ୍ୟୁତ ସଂଯୋଗ ହୋଇନଥିବା ଅଭିଯୋଗ ହୋଇଛି।

ଏ ସମ୍ପର୍କରେ ସ୍କୁଲ ପରିଚାଳନା କମିଟି,ଗ୍ରାମବାସୀ, ଅଭିଭାବକମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନଥିବା ବେଳେ ଅସନ୍ତୋଷ ତୀବ୍ର ରୂପ ନେଇଛି।ପ୍ରତିବାଦ ସ୍ବରୂପ ଆଜି ସ୍କୁଲ ଆରମ୍ଭରୁ ବିଦ୍ୟାଳୟ ପରିଚାଳନା କମିଟି ଅଧକ୍ଷ ସଞ୍ଜୟ କୁମାର ବେହେରାଙ୍କ ନେତୃତ୍ୱରେ ଗ୍ରାମବାସୀ ଏକାଠି ହୋଇ ସ୍କୁଲର ସମସ୍ତ ପ୍ରକୋଷ୍ଠରେ ତାଲା ପକାଇ ଦେଇଥିଲେ।ସମସ୍ୟାର ସମାଧାନ ନ ହେବା ଯାଏ ସ୍କୁଲରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ତାଲା ଝୁଲିବ ବୋଲି କମିଟି ଅଧକ୍ଷ କହିଛନ୍ତି।ଏପଟେ ସ୍କୁଲ ବନ୍ଦ ଘଟଣାକୁ ନେଇ ଓଡାପଡା ବ୍ଲକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ନଥିବା କୁ ନେଇ ଛାତ୍ରଛାତ୍ରୀ ଏବଂ ଅଭିବାବକ ମହଲରେ ତୀବ୍ର ଅସନ୍ତୋଷ ବୃଦ୍ଧି ପାଇଛି।