ରାଜସ୍ଥାନ : ରାଜସ୍ଥାନର ରାଜସମନ୍ଦରେ ଆଜି ସକାଳେ ଏକ ସ୍କୁଲ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଠାରେ ପିକନିକ୍ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଚାରଭୁଜା ଥାନା ଅଧୀନ ଦେସୁରୀ ନାଳରେ ଓଲଟି ପଡ଼ିଛି । ଏହି ଦୁର୍ଘଟଣାରେ ୩ ଛାତ୍ରୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୬୨ ଜଣ ଆହତ ହୋଇଛନ୍ତି । ଆହତ ପିଲାମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବର ପାଇ ପୋଲିସ ଓ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି । ପୋଲିସ ସୂଚନା ଅନୁସାରେ, ବସଟି ପିକନିକ୍ କରିବା ପାଇଁ ସ୍କୁଲ ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିଲା । ରବିବାର ସକାଳେ ପିଲାମାନେ ସ୍କୁଲରୁ ବାହାରି ପର୍ଶୁରାମ ମହାଦେବ ଯାଉଥିଲେ । ବସରେ ମୋଟ ୬୫ ଜଣ ପିଲା ଥିଲେ । ତେବେ ରାସ୍ତାରେ ପଞ୍ଜାବ ଟର୍ଣ୍ଣ ନିକଟରେ ବସଟି ଅନିୟନ୍ତ୍ରିତ ହୋଇ ଦେସୁରୀ ନାଳରେ ଓଲଟି ପଡ଼ିଥିଲା । ଦିନ ୧୦ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା । ସ୍ଥାନୀୟ ଲୋକ ଏବଂ ଚାରଭୁଜା ପୋଲିସ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲେ।