କେନ୍ଦ୍ରାପଡା : ନିଜକୁ ସିବିଆଇ ଅଧିକାରୀ କହି ଶିକ୍ଷକଙ୍କ ଠାରୁ ଲୁଟିନେଲେ ୫୦ ହଜାର । ପୁଅ ଡ୍ରଗ୍ସ ମାମଲାରେ ଫସିଛି ବୋଲି ଶିକ୍ଷକଙ୍କୁ ଫୋନ୍ ଆସିଲା, ଆଉ ପୁଅକୁ ଛାଡିବା ପାଇଁ ୫୦ ହଜାର ଟଙ୍କା ଦେବାକୁ କୁହା ଯାଇଥିଲା । ଟଙ୍କା ନଦେଲେ ପୁଅକୁ କୋର୍ଟ ଚାଲାଣ କରାଯିବ ବୋଲି କୁହାଯାଇଥିଲା । ଆଉ ପୁଅକୁ ବଞ୍ଚାଇବାକୁ ବି ଶିକ୍ଷକ ୫୦ ହଜାର ଦେଇଦେଇଥିଲେ । କିନ୍ତୁ ଶିକ୍ଷକ ଜାଣିନଥିଲେ ସେ ଠକାମିର ଶିକାର ହେଉଛନ୍ତି ।
ସୂଚନାନୁସାରେ, ଗତ ୨୭ ତାରିଖ ଦିନ କେନ୍ଦ୍ରାପଡା ରାଜକନିକାର ଶିକ୍ଷକ ଯଶୋବନ୍ତ ପଲାଇଙ୍କ ମୋବାଇଲ ଫୋନକୁ ଦିନ ୧୦ଟା ୪୫ ମିନିଟରେ ଏକ ଅଜଣା ନମ୍ବରରୁ କଲ ଆସିଥିଲା। ଜଣେ ବ୍ୟକ୍ତି ନିଜକୁ ଉଈଓ ଅଫିସର ପରିଚୟ ଦେଇ କଥା ହୋଇଥିଲା। ଶ୍ରୀ ପଲାଇଙ୍କୁ ସେ କହିଥିଲେ, ତମ ପୁଅ ଓ ତାର ୩ ଜଣ ସାଙ୍ଗ ଡ୍ରଗ୍ସ ନେବା ସହ ଡ୍ରଗ୍ସ କାରବାରରେ ସମ୍ପୃକ୍ତ ଥିବାରୁ ତାଙ୍କୁ କଷ୍ଟଡିକୁ ଆଣିଛୁ। ସେମାନଙ୍କୁ କୋର୍ଟ ଚାଲାଣ କରାଯିବ। ଏଥିରୁ ପୁଅକୁ ବଞ୍ଚାଇବାକୁ ଚାହୁଁଥିଲେ ୫୦ ହଜାର ଟଙ୍କା ପଠାନ୍ତୁ।
ପୁଅକୁ ସିବିଆଇ ଗିରଫ କରିଥିବା କଥା ଶୁଣି ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ଯଶୋବନ୍ତ ପଲାଇ। ସେ ତୁରନ୍ତ ଦୁଇଟି କିସ୍ତିରେ ୨୫ ହଜାର ଟଙ୍କା ଲେଖାଏଁ ସାଇବର ଠକଙ୍କ ପାଖକୁ ପଠାଇ ଦେଇଥିଲେ। ଶିକ୍ଷକ ଶ୍ରୀ ପଲାଇ ପାଲରେ ପଡ଼ିଯାଇଥିବା ଜାଣି ସାଇବର ଠକ ଆହୁରି ୨ ଲକ୍ଷ ଟଙ୍କା ଦାବି କରିଥିଲେ।
କିନ୍ତୁ ଶିକ୍ଷକ ଜଣକ ଭୁବନେଶ୍ୱରରେ ପାଠ ପଢୁଥିବା ନିଜ ପୁଅ ଜୟ ପ୍ରକାଶଙ୍କ ସହ କଥା ହେବା ପରେ ସେ ଠକେଇର ଶିକାର ହୋଇଥିବା ଜାଣିଥିଲେ । ଏନେଇ ସେ ରାଜକନିକା ଥାନାରେ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୋଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି ।