ପୁଣି ବଦଳିଲା ସ୍କୁଲ ୟୁନିଫର୍ମ : ନବମ ଓ ଦଶମ ଛାତ୍ରଛାତ୍ରୀଙ୍କ ପାଇଁ ଆସିବ ନୂଆ ଡ୍ରେସ

0

ବ୍ୟୁରୋ : ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି ବଦଳିଲା ସ୍କୁଲ ୟୁନିଫର୍ମ । ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ ହେବ । ଏଣିକି ସବୁଜ ପ୍ୟାଣ୍ଟ-ଚେକ ସାର୍ଟ ନୁହେଁ, ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ବାଦାମୀ ରଙ୍ଗର ଡ୍ରେସ୍ ପିନ୍ଧିବେ। ସବୁଠୁ ବଡ କଥା ହେଉଛି ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ସମସ୍ତଙ୍କୁ ଡ୍ରେସ ମିଳିବ। ସମସ୍ତ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲଗୁଡ଼ିକୁ ସରକାର ୟୁନିଫର୍ମ ଯୋଗାଇଦେବେ। ଏନେଇ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟକୁ ଗଣ ଶିକ୍ଷା ବିଭାଗ ଚିଠି ଲେଖିଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ ଯେ,୨୦୨୩- ୨୪ ଶିକ୍ଷାବର୍ଷରେ ତତ୍କାଳୀନ ସରକାର ଛାତ୍ରଛାତ୍ରୀଙ୍କ ୟୁନିଫର୍ମର ରଙ୍ଗ ପରିବର୍ତ୍ତନ କରି ସବୁଜ କରିଥିଲେ । ବର୍ତ୍ତମାନ ତାହା ବଦଳାଯାଇ ବାଦାମୀ ରଙ୍ଗର ଗାରପକା ସାର୍ଟ ଓ ଖଇରିଆ ରଙ୍ଗର ପ୍ୟାଣ୍ଟ ରଖିବାକୁ ସ୍ଥିର ହୋଇଛି। ଛାତ୍ରଙ୍କ ପାଇଁ ଫୁଲ୍ ପ୍ୟାଣ୍ଟ, ସାର୍ଟ ଓ ଛାତ୍ରୀଙ୍କ ଲାଗି ଚୁଡ଼ିଦାର ପଞ୍ଜାବୀ ସହ ଜ୍ୟାକେଟ ରହିଛି। ଛାତ୍ରୀଙ୍କ ଜ୍ୟାକେଟ୍ ରେ ଦୁଇଟି ପକେଟ ରହିଥିବା ବେଳେ ଛାତ୍ରଙ୍କର ବେଲ୍ଟ ରହିବ। ୟୁନିଫର୍ମରେ କୌଣସି ଲୋଗୋ ରହିବ ନାହିଁ। ଯେଉଁ ବିଦ୍ୟାଳୟରେ ପୁରୁଣା ରଙ୍ଗର ୟୁନିଫର୍ମ ଲାଗୁ ହୋଇ ନାହିଁ କିମ୍ବା ବଣ୍ଟନ କରାଯାଇ ନାହିଁ ସେଠାରେ ମଧ୍ୟ ଏହି ନୂତନ ରଙ୍ଗର ୟୁନିଫର୍ମ ଲାଗୁ କରାଯିବ।

ତେବେ ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀ ପରିଧାନ ଯୋଜନାରେ ହାଇସ୍କୁଲରେ ପଢୁଥିବା ସମସ୍ତ ପିଲାଙ୍କୁ ଏହି ପୋଷକ ବଣ୍ଟନ ହେବାକୁଥିବାବେଳେ ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଅନୁମୋଦନ କରାଯିବା ସହ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶଙ୍କୁ ଅବଗତ କରାଯାଇଛି। ହେଲେ କେବେ ସୁଦ୍ଧା ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ନୂତନ ୟୁନିଫର୍ମ ମିଳିବ ସେ ସମ୍ବଦ୍ଧୀୟ କୌଣସି ସୂଚନା ଦିଆଯାଇ ନାହିଁ ।