ଶିକ୍ଷକଙ୍କୁ ଟାର୍ଗେଟ କରି ବାଥରୁମରେ ବୋମା ଖଞ୍ଜିଲେ ୫ ଛାତ୍ରଛାତ୍ରୀ…

0

ଶିକ୍ଷକଙ୍କ ଉପରେ ପ୍ରତିଶୋଧ ନେବାକୁ ଯାଇ ଛାତ୍ରଛାତ୍ରୀଙ୍କ ଅଜବ କାରନାମା । ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ବାଥରୁମରେ ବୋମା ଖଞ୍ଜି ଶିକ୍ଷକଙ୍କୁ ମାରିବାକୁ ଉଦ୍ୟମ କରିଥିଲେ ପିଲା । ଏପରି ଅଜବ ଘଟଣା ଦେଖିବାକୁ ମିଳିଛି ଛତିଶଗଡର ରାୟପୁରରେ । ଏକ ଘରୋଇ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଡୁଥିବା ୩ ଜଣ ଛାତ୍ରୀ ଓ ଦୁଇ ଜଣ ଛାତ୍ର ଏଭଳି କାର୍ଯ୍ୟ କରିଛନ୍ତି । ନିକଟରେ ହୋମୱାର୍କ ନକରିବାରଣ୍ସେମାନଙ୍କୁ ଶିକ୍ଷକ ଦଣ୍ଡ ଦେଇଥିଲେ । ଯାହାପରେ ସେହି ପିଲାମାନଙ୍କ ଟାର୍ଗେଟରେ ରହିଥିଲେ ଶିକ୍ଷକ ଜଣକ ।

ପିଲାମାନେ ଅନଲାଇନରୁ ବୋମା ବନାଇବା ସାମଗ୍ରୀ ମଗାଇ ନିଜେ ବୋମା ତିଆରି କରିଥିଲେ । ପରେ ଯୋଜନା ମୁତାବକ ସ୍କୁଲ ବାଥରୁମରେ ଉକ୍ତ ବୋମାକୁ ଖଞ୍ଜିଥିଲେ । ଯେପରି ଫ୍ଲସ ମାରିଲେ ତାହା ବିସ୍ଫୋରଣ ହେବ । ହେଲେ ଦୁଭାର୍ଗ୍ୟବଶତଃ ଏଥିପାଇଁ ଅନ୍ୟ ଜଣେ ପିଲା ଗୁରୁତର ହୋଇଥିଲା । କାରଣ ଉକ୍ତ ଶିକ୍ଷକଙ୍କ ବଦଳରେ ଅନ୍ୟ ଜଣେ ଛାତ୍ରୀ ବାଥରୁମ ଯାଇଥିଲା । ଏବଂ ଯେତେବେଳେ ସେ ଫ୍ଲସ ଦାବିଥିଲା, ସେତେବେଳେ ବୋମା ଟି ବିସ୍ଫୋରଣ ହୋଇଥିଲା ।

ଫଳରେ ଛାତ୍ରୀ ଜଣକ ଗୁରୁତର ଆହାତ ହୋଇଥିଲେ । ଛାତ୍ରୀଙ୍କ ବାପାମାଆ ଏନେଇ ଏକ ଏଫଆଇଆର ଦାଖଲ କରିଥିଲେ।ପରେ ସ୍ଥାନୀୟ ପୋଲିସ ଘଟଣା ସମ୍ପର୍କରେ ଜାଣିବା ପରେ ଏପରି କାଣ୍ଡ ଘଟାଇଥିବା ଛାତ୍ରଛାତ୍ରୀଙ୍କୁ ନିଜ ହେପାଜତକୁ ନେଇ ଘଟଣାର ଅଧିକ ତଦନ୍ତ କରିଥିଲା ।