ପୁଣି ଓଡ଼ିଶାରେ ଏକ ବିରଳ କିଡ଼ନୀ ପ୍ରତିରୋପଣ

0

(ଆଦର୍ଶ ରାଉତ)ଭୁବନେଶ୍ୱର: ପୁଣି ଓଡ଼ିଶାରେ ଆଉ ଜଣେ ଦଧୀଚି। ବୁଧବାର ପୁଣି ଏକ ବିରଳ କିଡ଼ନୀ ପ୍ରତିରୋପଣ ହୋଇଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ମୃତ (ବ୍ରେନ୍ ଡେଡ୍) ଜଣେ ରୋଗୀଙ୍କ ଶରୀରରରୁ କିଡନୀ ବାହାର କରାଯିବା ପରେ ସଂପୃକ୍ତ ମୃତ ବ୍ୟକ୍ତିଙ୍କ କିଡନୀ ବଞ୍ଚିଥିବା ୨ ଜଣ ରୋଗୀଙ୍କ ଶରୀରରେ ପ୍ରତିରୋପଣ କରାଯାଇଥିବା ଜଣାପଡ଼ିଛି। ଯାହା ଫଳରେ ଦୁଇ ଜଣ ବ୍ୟକ୍ତି ନୂଆ ଜୀବନ ପାଇ ପାରିଛନ୍ତି।
ସୂଚନା ଅନୁସାରେ, ସୁଚିତ୍ରା ଦାସ ନାମକ ଜଣେ ୫୬ ବର୍ଷିୟ ମହିଳାଙ୍କ କିଡନୀ ଦୁଇଜଣଙ୍କଠାରେ ପ୍ରତିରୋପଣ କରାଯାଇଛି।  ଗତ ୨୩ ତାରିଖରେ ଦୁର୍ଘଟଣାରେ ଗୁରୁତର ସୁଚିତ୍ରାଙ୍କୁ ଆପୋଲୋ ହସପିଟାଲରେ ଭର୍ତି କରାଯାଇଥିଲା । ଆପୋଲୋ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ସୁଚିତ୍ରା ଦାସଙ୍କ ବ୍ରେନ ଡେଡ ଘୋଷଣା କରିଥିଲେ ଡାକ୍ତର। ଏହା ପରେ ପରିବାର ଲୋକ ଅଙ୍ଗଦାନ ପାଇଁ ନିଷ୍ପତି ନେଇଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ପ୍ରକିୟା ଆରମ୍ଭ କରିଥିଲେ। ଆପୋଲୋ ହସ୍ପିଟାଲର ୟୁରୋଲୋଜି ବିଭାଗର ବରିଷ୍ଠ ସର୍ଜନ ଡା. ସମୀରନ ଦାସ ଅଧିକାରୀଙ୍କ ନେତୃତ୍ୱରେ ଗତ ରାତିରେ ସୁଚିତ୍ରାଙ୍କ ଶରୀରରୁ ୨ଟି କିଡନୀ କଢ଼ାଯାଇଥିଲା।ସେଥିମଧ୍ୟରୁ ଗୋଟିଏ ଆପୋଲୋରେ ଚିକିତ୍ସିତ ହେଉଥିବା ୫୫ ବର୍ଷୀୟ ଜଗନ୍ନାଥ ସୁରଙ୍କଠାରେ ପ୍ରତିରୋପଣ କରାଯାଇଥିବା ବେଳେ ଅନ୍ୟଟି ଭୁବନେଶ୍ୱରର ଆମ୍ରି ହସ୍ପିଟାଲକୁ ପଠାଯାଇଥିଲା । ସେମାନେ ଦୀର୍ଘ ଦିନ ହେବ କିଡ଼ନୀ ଅପେକ୍ଷାରେ ମୃତ୍ୟୁ ସହ ସଂଘର୍ଷ କରୁଥିଲେ।  କିଡ଼ନୀ ପ୍ରତିରୋପଣ ପରେ ଦୁଇଜଣ ନୂଆ ଜୀବନ ପାଇଛନ୍ତି ।

କିଛି ଦିନ ପୂର୍ବରୁ କଟକ ବଡ ମେଡିକାଲ ଓ ଆପୋଲୋରେ ସମାନ ଢଙ୍ଗରେ ଗଂଜାମର ୨୨ ବର୍ଷିୟ ପ୍ରିୟଙ୍କାଙ୍କ ଅଙ୍ଗଦାନ ସହ କିଡନୀ ପ୍ରତ୍ୟାରୋପଣ କରାଯାଇଥିଲା। ସେହି ସମୟରେ ମଧ୍ୟ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରୁ କଟକ ବଡମେଡିକାଲକୁ ସ୍ୱତନ୍ତ୍ର ଆମ୍ବୁଲାନ୍ସରେ କିଡନୀ ସ୍ଥାନାନ୍ତର କରାଯାଇଥିଲା। ତେବେ ଆପୋଲୋରେ ହୋଇଥିବା ରାଜ୍ୟର ଦ୍ୱିତୀୟ କାଡାଭେରିକ କିଡନୀ ପ୍ରତିରୋପଣ ସଫଳ ହୋଇଥିବାରୁ ବିଭିନ୍ନ ମହଲରୁ ପ୍ରଶଂସାର ସୁଅ ଛୁଟିଛି ।