ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ନୌରେ ଆସନ୍ତା ଅକ୍ଟୋବର ୩୦ ପର୍ୟ୍ୟନ୍ତ ୧୪୪ ଧାରା ଲାଗୁ ହୋଇଛି। ଲକ୍ଷ୍ନୌ କମିଶନରେଟ୍ ପୋଲିସ ତରଫରୁ ଏହି ଆଦେଶ ଜାରି କରାଯାଇଛି। ସେପ୍ଟେମ୍ବର ୬ ଓ ୭ରେ ଜନ୍ମାଷ୍ଟମୀ, ସେପ୍ଟେମ୍ବର ୧୭ରେ ବିଶ୍ୱକର୍ମୀ ପୂଜା, ଇଦ୍-ଏ-ମିଲାଦ୍, ଅକ୍ଟୋବର ୨ରେ ଗାନ୍ଧୀ ଜୟନ୍ତୀ, ଅକ୍ଟୋବର ୨୨ରେ ଦୁର୍ଗା ମହାଅଷ୍ଟମୀ, ଅକ୍ଟୋବର ୨୩ରେ ମହାନବମୀ, ଅକ୍ଟୋବର ୨୪ରେ ଦଶହରା ପର୍ବ ରହିଛି। ଏହା ସହିତ ଲକ୍ଷ୍ନୌରେ କେତେକ ପ୍ରବେଶ ପରୀକ୍ଷା ମଧ୍ୟ ହେବାର ଅଛି, ତେଣୁ ଏହାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି।
ତେବେ ଏପରି ଧାରା ଲଗୁ ହୋଇଥିବା ସମୟରେ ବିଧାନଭବନ ଏବଂ ସରକାରୀ ଅଫିସ ଆଖପାଖର ୧ କିମି ପରିଧି ମଧ୍ୟରେ ଡ୍ରୋନ୍ ଶୁଟିଂ, କୌଣସି ବି ପ୍ରକାର ଧାରଣା କିମ୍ବା ବିକ୍ଷୋଭ ପ୍ରଦର୍ଶନ ଆଦି ବିନା ଅନୁମତିରେ ହୋଇପାରିବ ନାହିଁ। ଯଦି କେହି ନିୟମ ଉଲ୍ଲଂଘନ କରନ୍ତି, ତେବେ ତାଙ୍କ ବିରୋଧରେ ପୋଲିସରେ ମାମଲା ରୁଜୁ କରାଯାଇ କଡା କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ।