କାଳିମେଳା: ସୁରକ୍ଷାବାହିନୀକୁ ପୁଣି ବଡ଼ଧରଣର ସଫଳତା ମିଳିଛି। ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ଜଙ୍ଗଲରେ ମାଟି ତଳୁ ବିପୁଳ ପରିମାଣରେ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି। ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ସର୍ଚ୍ଚ ଅପରେସନରେ ନିୟୋଜିତ ଏସ୍ଓଜି ଓ ଡିବିଏଫ୍ ଯମାନମାନେ ମାଟି ତଳୁ ମାଓ ସାମଗ୍ରୀ ଉଦ୍ଧାର କରିଛନ୍ତି।
ମାଲକାନଗିରି ଏସ୍ପି ଏକ ପ୍ରେସ୍ ବିଜ୍ଞପ୍ତିରେ କହିଛନ୍ତି, ଗତ ୨୨ ତାରିଖ ଦିନ ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ମାଲକାନଗିରି ଜିଲ୍ଲା କାଳିମେଳା ଥାନା ଅଧୀନ ଏକ ଜଙ୍ଗଲରେ ମାଓବାଦୀମାନେ ମାଓସାମଗ୍ରୀ ରଖିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ଏହି ସୂଚନା ଆଧାରରେ ଡିଭିଏଫ୍ ଓ ଏସ୍ଓଜି ଯବାନମାନେ ସର୍ଚ୍ଚ ଅପରେସନରେ ବାହାରିଥିଲେ। ଗତକାଲି (ଡିସେମ୍ବର ୨୪) ଅପରାହ୍ଣ ସାଢ଼େ ୪ଟାରେ ସୁରକ୍ଷାକର୍ମୀମାନେ କାଲିମେଳା ଥାନା ଅଧୀନ କୁର୍ମାନୁର ଜଙ୍ଗଲରେ ମାଓସାମଗ୍ରୀ ଠାବ କରିଥିଲେ। ଏହି ସାମଗ୍ରୀଗୁଡ଼ିକ ମାଟି ତଳେ ଲୁଚାଇ ରଖାଯାଇଥିଲା। ମାଓବାଦୀମାନେ ଏହି ସାମଗ୍ରୀକୁ ସାଧାରଣଜନତା ଓ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ରଖିଥିଲେ।
ପୁଲିସ କହିଛି, ଜବତ ହୋଇଥିବା ମାଓ ସାମଗ୍ରୀ ମଧ୍ୟରେ ବନ୍ଧୁକ, ପାଇପ୍, ଆଇରନ୍ ମେଗାଜିନ ଚାର୍ଜର, ଗ୍ରେନେଡ, ଗ୍ରେନେଡ ପଞ୍ଚ, କୋଡେକ୍ସ ୱେୟାର, ଇଲେକ୍ଟ୍ରି ଡିଟୋନେଟର, ଟିଫିନ୍ ବିସ୍ଫୋରଣ ୧୨ଟି (ଏଥିରେ ୧.୫ କିଲୋରୁ ୧୫ କିଲୋ ପର୍ଯ୍ୟନ୍ତ ରହିଛି), ଗ୍ୟାସ ସିଲିଣ୍ଡର, ବ୍ୟାଟେରି, ଇଲେକ୍ଟ୍ରି ତାର, ସୁଇଚ୍, ଆଇରନ୍ ଡିଭାଇସ୍, ଟର୍ଚ୍ଚ ଲାଇଟ୍, କଳା ପଲିଥିନ୍, ମାଓବାଦୀ ପୋଷାକ ଆଦି ରହିଛି। ସୂଚନାଯୋଗ୍ୟ ଯେ କୁର୍ମାନୁର ହେଉଛି ଆନ୍ଧ୍ର-ଓଡ଼ିଶା ସୀମାନ୍ତରେ ଅବସ୍ଥିତ ଏକ ପଞ୍ଚାୟତ। ଏହି ପଞ୍ଚାୟତଟି ଘଂଚ ଜଂଗଲରେ ପରିପୂର୍ଣ୍ଣ ଥିବାବେଳେ ଏହି ଅଂଚଳରେ ମାଓବାଦୀମାନେ ନିଜର ଦବଦବା ଜାହିର କରିଆସୁଛନ୍ତି।