ନୂଆଦିଲ୍ଲୀ : ୧୪ ଅକ୍ଟୋବରରେ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବ ଭାରତ-ପାକିସ୍ତାନ ମ୍ୟାଚ | ଏହି ମ୍ୟାଚକୁ ଫ୍ୟାନ୍ସ ଅପେକ୍ଷା କରି ରହିଛନ୍ତି । ଖେଳାଯିବାକୁ ଥିବା ମ୍ୟାଚ ପାଇଁ ୧୧ ହଜାର ପୋଲିସ କର୍ମୀ, ବୋମା ନିଷ୍କ୍ରିୟକାରୀ ଟିମ୍ ନିୟୋଜିତ ରହିଛନ୍ତି । ଦିନିକିଆ ବିଶ୍ୱକପରେ ଭାରତ ମ୍ୟାଚ ଜିତି ବିଜୟ ଅଭିଯାନ ଆରମ୍ଭ କରିଛି । ଭାରତ ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ ଜିତିଥିବା ବେଳେ ଆଜି ଆଫଗାନିସ୍ତାନ ବିପକ୍ଷ ଦ୍ୱିତୀୟ ମ୍ୟାଚ ଖେଳିବ ଭାରତ । ସେହିପରି ଆସନ୍ତା ୧୪ ଅକ୍ଟୋବରରେ ଭାରତ-ପାକିସ୍ତାନ ମ୍ୟାଚ ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ । ଏହି ହାଇଭୋଲଟେଜ ମ୍ୟାଚକୁ ଦୃଷ୍ଟିରେ ରଖି ସମସ୍ତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।
ଏହି ମ୍ୟାଚ ପାଇଁ ଅହମଦାବାଦ ସହରର ସମସ୍ତ ସୁରକ୍ଷା ଏଜେନ୍ସୀର ୧୧ ହଜାରରୁ ଅଧିକ ଷ୍ଟାଫଙ୍କୁ ନିୟୋଜିତ କରାଯାଇଛି । ଏନଏସଜି, ରାପିଡ ଆକ୍ସନ ଫୋର୍ସ, ହୋମ ଗାର୍ଡ ଏବଂ ଗୁଜରାଟ ପୋଲିସ ସାମିଲ ରହିଛି । ନରେନ୍ଦ୍ର ମୋଦି ଷ୍ଟାଡିୟମରେ ୧ ଲକ୍ଷରୁ ଅଧିକ ଦର୍ଶକ ଉପସ୍ଥିତ ରହିବେ । ଏହି ଷ୍ଟାଡିୟମର କ୍ଷମତା ୧.୩୦ ଲକ୍ଷରୁ ଅଧିକ । ଏହି ହାଇ ଭୋଲଟେଜ ମ୍ୟାଚ ପାଇଁ ସବୁ ଟିକେଟ ବିକ୍ରି ସରିଛି । ଏଥିପାଇଁ ଅହମଦାବାଦର ପୋଲିସ କମିଶନର ଜ୍ଞାନେନ୍ଦ୍ର ସିଂ ମଲିକଙ୍କ ମୁତାବକ, ମ୍ୟାଚ ପାଇଁ ୭ ହଜାରରୁ ଅଧିକ ପୋଲିସ କର୍ମୀ ଏବଂ ୪ ହଜାର ହୋମଗାର୍ଡ ଯବାନ ନିୟୋଜିତ ରହିଛନ୍ତି । ଏନଏସଜିର ୩ଟିମ୍ ଏବଂ ଆଣ୍ଟି ଡ୍ରୋନ ଟିମ ରହିଛି । ବୋମା ନିଷ୍କ୍ରିୟକାରୀ ସ୍କ୍ଵାର୍ଡ ସହିତ ଏନଡିଆରଏଫ ଏବଂ ଏସଡିଆରଏଫ ଟିମ୍ ନିୟୋଜିତ ରହିଛି । ଭାରତ-ପାକିସ୍ତାନ ମ୍ୟାଚ ନେଇ ସୁରକ୍ଷା ବ୍ୟବସ୍ଥାକୁ ନେଇ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଗୃହ ରାଜ୍ୟ ମନ୍ତ୍ରୀ ହର୍ଷ ସଂଘବୀଙ୍କ ନେତୃତ୍ୱରେ ଗୁରୁତ୍ୱପୂର୍ଣ୍ଣ ବୈଠକ ରହିଥିଲା ।