ବ୍ୟାଙ୍କ ସମ୍ମୁଖରେ ଚାଷୀଙ୍କ ଭିଡ଼କୁ ଦେଖି ଆବେଦନର ସମୟ ସୀମା ବଢ଼ାଇଲେ ରାଜ୍ୟ ସରକାର

0

ଉମରକୋଟ/ ମନୋଜ କୁମାର ନାୟକ : ରାଜ୍ୟ ସରକାରଙ୍କ ଉଠା ଜଳସେଚନ ନିଗମ ପକ୍ଷରୁ ଜାରି କରାଯାଇଥିବା ନୋଟିଫିକେସନ୍ ପରେ ୟୁନିୟନ ବ୍ୟାଙ୍କ ସମ୍ମୁଖରେ ଶହ ଶହ ସଂଖ୍ୟାରେ ଚାଷୀଙ୍କ ଭିଡ ଦେଖିବାକୁ ମିଳିଛି । ସରକାରଙ୍କ ଯୋଜନାର ଲାଭ ପାଇବା ପାଇଁ ବହୁ ଦୁର ଦୁରାନ୍ତରୁ ଭୋର ସକାଳୁ ଚାଷୀ ଆସି ଧାଡି ବାନ୍ଧିବା ସହ ଖରା ଶିତରେ ନ ଖାଇ ନ ପିଇ ବସି ରହିବା ଘଟଣା ଦେଖାଯାଇଛି । ରାଜ୍ୟରେ ଅନେକ ସଂଖ୍ୟାରେ ଜାତୀୟ ବ୍ୟାଙ୍କ ରହିଥିବାବେଳେ ଏକମାତ୍ର ୟୁନିୟନ ବ୍ୟାଙ୍କ ମାଧ୍ୟମରେ ହିଁ ଡ୍ରାଫ୍ଟ ଟଙ୍କା ନେବାକୁ ସରକାର ନିର୍ଦ୍ଧେଶ ଦେଇ ଥିବାରୁ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ଅଂଚଳରେ । ଜିଲ୍ଲାରେ ୟୁନିୟନ ବ୍ୟାଙ୍କ ର ମାତ୍ର ତିନି ଗୋଟି ଶାଖା ରହିଥିବାବେଳେ ସେଥି ମଧ୍ୟରୁ ମାତ୍ର ଗୋଟିଏ ଶାଖା ରହିଛି ଉମରକୋଟ ସହର ରେ । ଜିଲ୍ଲାର ରାଇଘର, ଉମରକୋଟ, ଝରିଗାଁ, ଚନ୍ଦାହାଣ୍ଡି ଏବଂ  ବ୍ଲକ୍ ର ହଜାର ହଜାର ଚାଷୀ ଉମରକୋଟ ସ୍ଥିତ ଏକମାତ୍ର ୟୁନିୟନ ବ୍ୟାଙ୍କ ଶାଖା ଉପରେ ନିର୍ଭର କରୁଥିବାବେଳେ ଲୋକଙ୍କ ଭିଡ ସହରବାସୀଙ୍କୁ ନାକେଦମ୍ କରିଛି । ଗୋଟିଏ ମାତ୍ର ବ୍ୟାଙ୍କ ମାଧ୍ୟମରେ ହିଁ ସରକାର ଡ୍ରାଫ୍ଟ ଟଙ୍କା ଜମା କରିବାକୁ ନେଇଥିବା ନିଷ୍ପତ୍ତି କୁ ଚାଷୀ ବିରୋଧ କରିବା ସହ ଅନ୍ୟ ବ୍ୟାଙ୍କ କୁ ସାମିଲ କରିବା ଓ ଆବେଦନର ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି ।  ସେପଟେ ଚାଷୀଙ୍କ ସମସ୍ୟାକୁ ଦେଖି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଉମରକୋଟ ସ୍ଥିତ ୟୁନିୟନ ବ୍ୟାଙ୍କ ଶାଖାକୁ ଯାଇ ଲୋକଙ୍କ କାମ ଠିକ୍ ଭାବେ କରିବା ସହ ଭିଡ କମାଇବାକୁ ବ୍ୟାଙ୍କ କତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟପଟେ ନବରଙ୍ଗପୁର ସାଂସଦ ରମେଶ ମାଝୀ ଅନ୍ୟ ଜାତୀୟ ବ୍ୟାଙ୍କ ମାଧ୍ୟମରେ ଚାଷୀଙ୍କ ଡ୍ରାଫ୍ଟ୍ ଟଙ୍କା ନେବାକୁ ଏବଂ ଆବେଦନ ସମୟ ସୀମା ବଡାଇବାକୁ ସରକାରଙ୍କୁ ନିବେଦନ କରିଛନ୍ତି । ଏ ସଂପର୍କରେ ଉଠା ଜଳସେଚନ ନିଗମ ଉପଦେଷ୍ଟା ପ୍ରମୋଦ ପାଢୀ କହିଛନ୍ତି ଚାଷୀଙ୍କ ଆବେଦନ ସମୟ ସୀମା ବୃଦ୍ଧି କରିବା ନିଷ୍ପତ୍ତି ହୋଇ ସାରିଛି ଆଉ ଖୁବ୍ ଶୀଘ୍ର ତାରିଖ ଘୋଷଣା କରାଯିବ ।ଏହି ଚାଷୀ ଙ୍କ ସମସ୍ୟା ଓ ହଇରାଣ ହରକତ ଦେଖି ଶ୍ରୀ ପ୍ରମୋଦ ପାଢ଼ୀ ସୋସିଆଲ ମିଡିଆରେ ରେ ମଧ୍ଯ ତାଙ୍କ ମନ୍ତବ୍ୟ ପୋଷ୍ଟ କରି ଛନ୍ତି । ଏଣୁ ଚାଷୀ ଅଯଥା ଗହଳି ନ କରି ଯୋଜନାର ଲାଭ ଉଠାନ୍ତୁ ।