ଗତକାଲି ବିଳମ୍ବିତ ରାତିରେ ଝାରସୁଗୁଡା ସଦର ଥାନା ନିକଟ ଜାତୀୟ ରାଜପଥ ୪୯ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ତିନୋଟି ଟ୍ରକ ପରସ୍ପରକୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୩ଟି ଟ୍ରକ୍ ହୁତୁହୁତୁ ହୋଇ ଜଳୁଥିବା ବେଳେ ଜିଅନ୍ତା ଜଳିଗଲେ ୩ ଡ୍ରାଇଭର । ଝାରସୁଗୁଡ଼ା ସଦର ଥାନା ସାମ୍ନାରେ ୨ଟି ଟ୍ରଲର ମୁହାଁମହିଁ ଧକ୍କା ହେବାରୁ ଦୁଇଟି ଟ୍ରଲର ଜଳି ଯାଇଥିଲା। ଦୁଇଟି ଟ୍ରଲର ଜଳୁଥିବା ବେଳେ ପଛପଟୁ ଆସି ଆଉ ଏକ ୧୬ ଚକିଆ ଟ୍ରକ ଧକ୍କା ଦେବା ଫଳରେ ଟ୍ରକ୍ ମଧ୍ୟ ଜଳିବାକୁ ଲାଗିଲା । ଟ୍ରକ ଗୁଡିକ ଜଳିଯିବାରୁ ଡ୍ରାଇଭରମାନେ ବାହାରି ନପାରି ଜୀବନ୍ତ ଦଗ୍ଧ ହୋଇଥିବା ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁଯାଇ, ଗତକାଲି ରାତି ପ୍ରାୟ ସାଢେ ୧୨ଟା ପରେ ଜାତୀୟ ରାଜପଥ ୪୯ରେ ଗୋଟିଏ ଦିଗରେ ୨ଟି ଟ୍ରକ୍ ଯାଉଥିବା ବେଳେ ପରସ୍ପରକୁ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିଲେ। ଏହି ସମୟରେ ଅପରପାର୍ଶ୍ୱରୁ ଏକ ଟ୍ରକ୍ ଆସୁଥିଲା। ଫଳରେ ଭାରସାମ୍ୟ ହରାଇ ଓଭରଟେକ୍ କରିବାକୁ ଚେଷ୍ଟା କରୁଥିବା ୨ ଟ୍ରକ୍ ଅପର ପାର୍ଶ୍ୱରୁ ଆସୁଥିବା ଟ୍ରକ୍ ସହ ମୁହାଁମୁହିଁ ପିଟି ହୋଇଥିଲେ। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଦୁର୍ଘଟଣା ପରେ ୩ଟି ଟ୍ରକ୍ ଜଳିବାକୁ ଲାଗିଥିଲା । ଏହାଫଳରେ ଗାଡ଼ିରେ ଥିବା ୩ଜଣଯାକ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରିବାକୁ ୩ଟି ଦମକଳ ଗାଡ଼ି ନିୟୋଜିତ ହୋଇଥିଲା। ତେଣେ ସୂଚନା ପାଇ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି। ମାତ୍ର ଏଯାଏ ମୃତକଙ୍କ ପରିଚୟ ମିଳିପାରିନାହିଁ। ରାଜପଥର ଉଭୟ ପାର୍ଶ୍ବରେ ବହୁ ସଂଖ୍ୟାରେ ଗାଡ଼ି ଅଟକି ରହିଛି। କ୍ରେନ ସାହାଯ୍ୟରେ ବର୍ତ୍ତମାନ ସୁଦ୍ଧା ଗାଡ଼ି ଗୁଡିକୁ ରାସ୍ତାରୁ ହଟାଇବା ପାଇଁ ଉଦ୍ଧାର ଜାରି ରହିଛି ।