ଟାଟା ମୋଟର୍ସ ଜେନେରାଲ ମ୍ୟାନେଜର ଏବଂ ଷ୍ଟ୍ରାଟେଜି ଇନିସିଏଟିଭ ମୁଖ୍ୟ ହେଲେ ଶାନ୍ତନୁ ନାଇଡୁ…

0

ସ୍ବର୍ଗତ ରତନ ଟାଟାଙ୍କ ଘନିଷ୍ଠ ତଥା ତାଙ୍କର ମ୍ୟାନେଜର ଶାନ୍ତନୁ ନାଇଡୁଙ୍କୁ ଟାଟା ମୋଟର୍ସରେ ମିଳିଲା ବଡ଼ ଦାୟିତ୍ବ। ଶାନ୍ତନୁଙ୍କୁ ଟାଟା ମୋଟର୍ସର ଜେନେରାଲ ମ୍ୟାନେଜର ଏବଂ ଷ୍ଟ୍ରାଟେଜି ଇନିସିଏସଟିଭର ମୁଖ୍ୟ ଭାବରେ ନିଯୁକ୍ତ କରାଯାଇଛି। ଏନେଇ ଶାନ୍ତନୁ ନିଜେ ଲିଙ୍କ୍ଡଇନ୍‌ରେ ନୂଆ ଏକ ଭାବବିହ୍ବଳପୂର୍ଣ୍ଣ ପୋଷ୍ଟ ସେୟାର କରିଛନ୍ତି। ସେ ଲେଖିଛନ୍ତି ‘‘ମତେ ଖୁସି ଲାଗୁଛି ଯେ, ମୁଁ ଟାଟା ମୋଟର୍ସରେ ଜେନେରାଲ ମ୍ୟାନେଜର ହେଡ- ଷ୍ଟ୍ରାଟେଜିକ ଇନିସିଏଟିଭ ଭାବରେ ଏକ ନୂଆ ପଦ ସମ୍ଭାଳୁଛି।ମୋର ମନେ ଅଛି ଯେତେବଳେ ମୋ ବାପା ଧଳା ସାର୍ଟ ଏବଂ ନାଭି ପ୍ୟାଣ୍ଟରେ ଟାଟା ମୋଟର୍ସ ପ୍ଲାଣ୍ଟରୁ ଘରକୁ ଫେରୁଥିଲେ। ଆଉ ମୁଁ ତାଙ୍କୁ ଝରକାରୁ ତାଙ୍କୁ ଅପେକ୍ଷା କରୁଥାଏ। ଏବେ ମୁଁ ବି ତାହା କରିବାକୁ ଯାଉଛି।’’ ଏହା ସହ ନାଇଡୁ ଏକ ଫଟୋ ମଧ୍ୟ ସେୟାର କରିଛନ୍ତି। ଫଟୋରେ ଶାନ୍ତନୁ ଏକ ଟାଟା ନାନୋ କାର୍‌ ସହ ପୋଜ୍ ଦେଉଛନ୍ତି।


ଶାନ୍ତନୁ ନାଇଡୁ ୨୦୧୦ ରୁ ୨୦୧୪ ମଧ୍ୟରେ ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର, ମେକାନିକାଲ୍ ଇଞ୍ଜିନିୟରିଂ କରିଛନ୍ତି। ୨୦୧୬ ମସିହାରେ, ନାଇଡୁ ତାଙ୍କର ମାଷ୍ଟର ଅଫ୍ ବିଜନେସ୍ ଆଡମିନିଷ୍ଟ୍ରେସନ୍ (MBA) ପାଇଁ ଆମେରିକାର ନ୍ୟୁୟର୍କର କର୍ଣ୍ଣେଲ ଜନସନ୍ ଗ୍ରାଜୁଏଟ୍ ସ୍କୁଲ୍ ଅଫ୍ ମ୍ୟାନେଜମେଣ୍ଟକୁ ଯାଇଥିଲେ। ସେ ଜୁଲାଇ ୨୦୧୮ ରେ ରତନ ଟାଟାଙ୍କ ଡେପୁଟି ଜେନେରାଲ ମ୍ୟାନେଜର ଭାବରେ ପାଦ ଦେବା ପୂର୍ବରୁ, କିଛି ସମୟ ପାଇଁ ଟାଟା ଟ୍ରଷ୍ଟରେ ବ୍ୟବସାୟ ରଣନୀତି ଇଣ୍ଟର୍ନ ଭାବରେ ଯୋଗ ଦେଇଥିଲେ। ପରେ ମେ ୨୦୨୦ ରେ ରତନ ଟାଟାଙ୍କ କାର୍ୟ୍ୟାଳୟରେ ଜେନେରାଲ ମ୍ୟାନେଜର ଭାବରେ ପଦୋନ୍ନତି ଦିଆଯାଇଥିଲା। ବଡ଼ କଥା ହେଲା ରତନ ଟାଟଙ୍କ ସହ ନାଇଡୁଙ୍କ ସଂପର୍କ କେବଳ ପ୍ରୋଫେସନାଲ ହିଁ ନୁହେଁ ବ୍ୟକ୍ତିଗତ ମଧ୍ୟ। ଏମିତିକି ରତନ ଟାଟା, ନାଇଡୁଙ୍କୁ ନିଜ ସମ୍ପତ୍ତିର କିଛି ସେୟାର ମଧ୍ୟ ତାଙ୍କ ନାଁରେ କରିଛନ୍ତି।