ମାନସ ସ୍ୱାଇଁ ହତ୍ୟା ଘଟଣାରେ ଶର୍ମିଷ୍ଠା ରାଉତ ଓ ଝୁନା ଭୋଇ ଗିରଫ

0

ଭୁବନେଶ୍ୱର ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ ଓ ତାଙ୍କ ସହଯୋଗୀ ଝୁନା ଭୋଇଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଭଦ୍ରକ ପୋଲିସ ଓ କ୍ରାଇମବ୍ରାଞ୍ଚର ମିଳିତ ଉଦ୍ୟମରେ ଭଦ୍ରକ ନଳାଙ୍ଗ ଗାଁରୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଆଜି ଚାନ୍ଦବାଲି ଜେଏମଏଫସି କୋର୍ଟରେ ଉଭୟଙ୍କୁ ହାଜର କରାଯାଇିଛି । ଏହାସହ ଦୁଇଜଣଙ୍କୁ ୧୦ ଦିନ ରିମାଣ୍ଡରେ ନେବାକୁ ଯୋଜନା କରିଛି କ୍ରାଇମବ୍ରାଞ୍ଚ ।

 

ସୂଚନା ଅନୁଯାୟୀ , ଗତ ଫେବ୍ରୁଆରୀ ୭ତାରିଖରେ ମାନସକୁ ଚାନ୍ଦବାଲିରୁ ଅପହରଣ କରାଯାଇ ଭୁବନେଶ୍ୱରରେ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୋଲିସ ନିରଞ୍ଜନ ସେଠୀଙ୍କ ସମେତ ୬ ଜଣକୁ ଗିରଫ କରିଥିଲା। ପରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚକୁ ହସ୍ତାନ୍ତର କରାଯାଇ ଥିଲା। ତଦନ୍ତ ଭାର ନେବା ପରେ ରବିବାର କ୍ରାଇମବ୍ରାଂଚର ଏକ ଟିମ ଏୟାରଫିଲ୍ଡ ଅଂଚଳରେ ଥିବା ଶର୍ମିଷ୍ଠାଙ୍କ ଦୟାଲ ଆଶ୍ରମକୁ ଯାଇଥିଲା । କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ କେମିତି ହତ୍ୟା କରାଯାଇଥିଲା? ମୃତଦେହକୁ କିଭଳି କାର ପର୍ୟ୍ୟନ୍ତ ନିଆଗଲା? ଯେଉଁ ରୁମରେ ମାନସଙ୍କୁ ମାଡ ମରାଯାଇଥିଲା ଏବଂ ହତ୍ୟା କରାଯାଇଥିଲା ସେଠାରେ ଛାନଭିନ କରିଥିଲା । ଏଥିସହିତ ଆଶ୍ରମର କେୟାର ଟେକର ଓ ସେଠାକୁ ଯିବା ଆସିବା କରୁଥିବା ଏକାଧିକ ବ୍ୟକ୍ତିଙ୍କୁ ପଚରାଉଚରା କରିଛି ।
ପରେ କ୍ରାଇମବ୍ରାଂଚ ଟିମ୍ ଦୟାଲ ବୃଦ୍ଧାଶ୍ରମକୁ ସିଲ୍ କରିଦେଇଛି । ଦୟାଲ ଆଶ୍ରମରୁ ରେଜିଷ୍ଟରରେ ବହୁ ବଡ ବଡ ବ୍ୟକ୍ତିଙ୍କର ନାଁ ରହିଥିବା ଜଣାପଡିଛି । ଆଶ୍ରମରୁ କିଛି କାଠଫାଳିଆ ଜବତ କରାଯାଇଥିବା ଜଣାଯାଇଛି । ଜବତ କାଠ ଫାଳିଆ ମାନସଙ୍କୁ ହତ୍ୟା କରିବାରେ ବ୍ୟବହୃତ ହୋଇଛି କି ନାହିଁ ଜାଣିବାକୁ ଫରେନସିକ୍ ଟେଷ୍ଟ କରାଯିବ । ଏହାସହ ଥ୍ରୀ ଡି କ୍ୟାମେରା ଯୋଗେ କିଛି ଫିଙ୍ଗରପ୍ରିଂଟ ଓ ଫୁଟେଜ ସଂଗ୍ରହ କରାଯାଇଛି ।କ୍ରାଇମବ୍ରଂଚ ସହ ଫୋରେନସିକ୍ ଟିମ୍, ଏମ୍ସର ଡାକ୍ତରୀ ଦଳ ଓ ଏକ୍ସପର୍ଟ ଟିମ୍ ମଧ୍ୟ ତଦନ୍ତରେ ସାମିଲ ହୋଇଥିଲେ । ଆଶ୍ରମକୁ କିଏ ଆସିଥିଲେ, ଘଟଣା ଦିନ କିଏ କିଏ ଥିଲେ ସେ ସଂପର୍କରେ କେୟାରଟେକରଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇଛି । ଆଶ୍ରମରୁ ମିଳିଥିବା ମାନସଙ୍କ ଶେଷ ଚିଠି ସଂପର୍କରେ ମଧ୍ୟ ଖୋଳତାଡ କରାଯାଉଛି ।

 

 

 

 

ଅପହରଣ ପରେ ମାନସଙ୍କୁ ଆଣି ଆଶ୍ରମର ରଖାଯାଇଥିଲା । ଏଠାରେ ମାନସଙ୍କୁ ହତ୍ୟା କରିବା ପରେ କାରରେ ନିଆଯାଇ ନୟାଗଡ଼ରର ରଣପୁରରେ ପୋତି ଦିଆଯାଇଥିଲା । ଗତକାଲି ଟିମ ଚାନ୍ଦବାଲି ଥାନା ଓ ଅପହରଣ ସ୍ଥଳ ପଳାସପୁରକୁ ଯାଇ ମଧ୍ୟ ଛାନଭିନ୍ କରିଥିଲା ।ଉଭୟ ଶର୍ମିଷ୍ଠା ଓ ଝୁନା ଭୋଇଙ୍କୁ ଗିରଫ କରାଯିବା ପରେ ଏହି ମାମଲାରେ ଗିରଫଦାରୀ ସଂଖ୍ୟା ୭ ରେ ପହଞ୍ଚିଛି । ପୂର୍ବରୁ ଏହି ମାମଲାରେ ୫ ଜଣଙ୍କୁ ଗିରଫ କରାଯାଇଛି । ସେହିଭଳି ଆଶ୍ରମର କେୟାରଟେକରଙ୍କୁ ମଧ୍ୟ ଅଟକ ରଖିଛି କ୍ରାଇମବ୍ରାଞ୍ଚ । ଶର୍ମିଷ୍ଠାଙ୍କୁ ପଚରାଉଚରା ପରେ ପୂରା ଘଟଣାର ଉପରୁ ପରଦା ହଟିବ ।