ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ, କ୍ରିକେଟରୁ ଅବସର ଘୋଷଣା କଲେ ଧୱନ

0

ନୂଆଦିଲ୍ଲୀ : ଶିଖର ଧୱନଙ୍କ କ୍ରିକେଟ ଯାତ୍ରାରେ ପଡିଲା ପୂର୍ଣ୍ଣଚ୍ଛେଦ | ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କଲେ ଧୱନ | ଆଜି ସକାଳୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରି ଧୱନ ଉଭୟ ଅନ୍ତର୍ଜାତୀୟ ଓ ଘରୋଇ କ୍ରିକେଟରୁ ଅବସର ନେଇଥିବା ନେଇ ଘୋଷଣା କରିଛନ୍ତି। କ୍ରିକେଟର କୌଣସି ବି ଫର୍ମାଟରେ ଖେଳିବେ ନାହିଁ ଶିଖର |

ଶିଖର ଭାରତୀୟ ଦଳର ଏକ ମଜ୍ଭୁତ୍ ପ୍ଲେୟାର ଥିଲେ | ସେ ତାଙ୍କ କ୍ୟାରିୟରରେ ୩୪ ଟେଷ୍ଟ, ୧୬୭ ଦିନିକିଆ ଓ ୬୮ଟି ଟି-ଟ୍ୱେଣ୍ଟି ମ୍ୟାଚ୍ ଖେଳିଛନ୍ତି। ୨୦୧୩ରେ ଟେଷ୍ଟ କ୍ୟାରିୟର ଆରମ୍ଭ କରି ୩୪ ମ୍ୟାଚରୁ ୨ ହଜାର ୩୧୫ରନ ସଂଗ୍ରହ କରିଥିଲେ। ସେହପରି ୨୦୧୦ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ଦିନିକିଆ କ୍ୟାରିୟର ଆରମ୍ଭ କରିଥିବା ଧୱନ ୧୬୭ ମ୍ୟାଚରୁ ୬ ହଜାର ୯୯୩ ରନ ସଂଗ୍ରହ କରିଥିଲେ। ଯେଉଁଥିରେ ୧୭ଟି ଶତକ ଓ ୩୯ଟି ଅର୍ଦ୍ଧଶତକ ସାମିଲ ରହିଛି। ଏଥି ସହିତ ନିଜ କ୍ୟାରିୟରରେ ସେ ୬୮ ଟି-ଟ୍ୱେଣ୍ଟି ଖେଳି ୧୭୫୯ ରନ ସଂଗ୍ରହ କରିଛନ୍ତି। ୨୦୧୩ ଚାମ୍ପିଅନସ ଟ୍ରିଫିରେ ଭଲ ପ୍ରଦର୍ଶନ କରିଥିଲେ ଶିଖର ଧୱନ। ଧୱନ ୨୦୨୨ ମସିହାରେ ଶେଷ ଥର ପାଇଁ ବାଂଲାଦେଶ ବିପକ୍ଷରେ ଏକ ଦିବସୀୟ ମ୍ୟାଚ୍ ଖେଳିଥିଲେ। ୭ ସେପ୍ଟେମ୍ବର ୨୦୧୮ରେ ଦି ଓଭାଲରେ ଇଂଲଣ୍ଡ ବିପକ୍ଷରେ ଶିଖର ଧାୱନ ତାଙ୍କର ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ଏଥି ସହିତ ୨୯ ଜୁଲାଇ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷରେ ତାଙ୍କର ଶେଷ ଟି -20 ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ।

ସେ ତାଙ୍କ କ୍ୟାରିୟର୍ ଭିତରେ ପାଇଥିବା ସମର୍ଥନ ହେତୁ ସମସ୍ତଙ୍କୁ ନିଜର କୃତଜ୍ଞତା ଜ୍ଞାପନ କରିଛନ୍ତି। ଧୱନ ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ଏକ ଭିଡିଓ ପୋଷ୍ଟ୍ କରି ତାଙ୍କୁ ଦେଖିଥିବା ଭଲପାଇବା ହେତୁ ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି।

ସେ କହିଛନ୍ତି କି ‘‘ଯେବେ ବି ମୁଁ ପଛକୁ ଦେଖୁଛି ଖାଲି ସ୍ମୃତି ପାଉଛି। ଭାରତ ପାଇଁ ଖେଳିବା ମୋର ସ୍ବପ୍ନ ଥିଲା। ସେ ସପ୍ନକୁ ମୁଁ ଜୀଇଁଛି ବି। ମୁଁ ଅନେକ ଲୋକଙ୍କ ନିକଟରେ କୃତଜ୍ଞ। ବିଶେଷ କରି ମୋ ପରିବାର, ମୋ ପିଲାଦିନର କୋଚ୍ ଓ ପରେ ମୋ ଟିମ୍ ନିକଟରେ ମୁଁ କୃତଜ୍ଞ।’’
ଭାରତ ପାଇଁ ତିନୋଟି ଫର୍ମାଟ ଖେଳିଥିବା ଧାୱନଙ୍କ ହଠାତ ଅବସର ଘୋଷଣା ପ୍ରଶଂସକଙ୍କୁ ଚକିତ କରିଦେଇଛି।