( ରିପୋର୍ଟସଟୁଡେ): ଗୁଜୁରାତର ନର୍ମଦା ନଦୀ ତଟରେ ସର୍ଦ୍ଦାର ବଲ୍ଲଭ ପଟେଲଙ୍କ ବିଶାଳ ପ୍ରତିମାର ଉଦଘାଟନ ପରେ ଏବେ ରାଜସ୍ଥାନର ନାଥଦ୍ବାରାରେ ଭଗବାନ ଶିବଙ୍କର ବିଶାଳ ମୂର୍ତ୍ତି ପ୍ରସ୍ତୁତ ହେବାକୁ ଯାଉଛି। ଏହା ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ମାନଙ୍କ ମଧ୍ୟରେ ଏକ ବୋଲି କୁହାଯାଉଛି। ଯାହାର ଫଟୋ ସୋସିଆଲ ମିଡ଼ିଆରେ ବହୁଳ ମାତ୍ରାରେ ଭାଇରାଲ ହେଉଛି।
ଭଗବାନ ଶିବଙ୍କର ଏହି ପ୍ରତିମା ୩୫୧ ଫୁଟର ହୋଇଥିବା ବେଳେ ଆସନ୍ତା ବର୍ଷ ମାର୍ଚ୍ଚ ପର୍ୟ୍ୟନ୍ତ ଏହାର ପ୍ରସ୍ତୁତ ଶେଷ ହୋଇଯିବା ନେଇ ଖବର ରହିଛି। ଉଦୟପୁରରୁ ୫୦ କିଲୋମିଟର ନାଥଦ୍ବାରାର ଗଣେଷ ଟେକରୀରେ ସିମେଣ୍ଟ କକ୍ରିଂଟରେ ପ୍ରସ୍ତୁତ ବିଶ୍ବର ସବୁଠାରୁ ଉଚ୍ଚ ଶିବ ପ୍ରତିମାର ବର୍ତ୍ତମାନ ପର୍ୟ୍ୟନ୍ତ ୮୫ ପ୍ରତିଶତ ନିର୍ମାଣ କାର୍ୟ୍ୟ ଶେଷ ହୋଇଗଲାଣି।
ସୂଚନା ଅନୁଯାୟୀ, ୩୫୧ ଫୁଟ ଉଚ୍ଚ ବିଶିଷ୍ଟ ସିମେଣ୍ଟ କ୍ରକିଂଟ ଦ୍ବାରା ନିର୍ମିତ ଏହି ପ୍ରତିମା ଦୁନିଆର ଚତୁର୍ଥ ନମ୍ବର ଏବଂ ଭାରତରେ ସରଦାର ପଟେଲଙ୍କ ମୂର୍ତ୍ତି ପରେ ଦ୍ବିତୀୟ ଉଚ୍ଚତର ପ୍ରତିମାଙ୍କ ମଧ୍ୟରେ ଗଣାଯିବ। ଏହା ୨୦୧୯ ମସିହାରେ ଉଦଘାଟନ କରାଯିବା ନେଇ ସୂଚନା ରହିଥିବା ବେଳେ ଏହାର ୮୫ ପ୍ରତିଶତ କାମ ଶେଷ ହୋଇଗଲାଣି। ଏହାକୁ ନାଥଦ୍ବାରାର ଗଣେଷ ଟେକରୀରେ ୧୬ ଏକର ପାହାଡ଼ କ୍ଷେତ୍ରରେ ପ୍ରସ୍ତୁତ କରାଯାଉଛି।
ବିଗତ ଚାରି ବର୍ଷରୁ ନିର୍ମାଣଧୀନ ଏହି ପ୍ରତିମାରେ ପାଖାପାଖି ୨୫ ଲକ୍ଷ ସିମେଣ୍ଟ ବସ୍ତା, ୨୫୦୦ଟନ୍ ଲୁହା ରଡ଼ ଲାଗିଥିବା ବେଳେ ଏଥିରେ ନିୟୋଜିତ ରହିଛନ୍ତି ୭୫୦ କାରିଗର। ଏଥିରେ ୪ଟି ଲିପ୍ଟ ଏବଂ ତିନୋଟି ସିଢ଼ିର ବ୍ୟବସ୍ଥା ରହିଛି। ୩୫୧ ଫୁଟ ଏହି ମୂର୍ତ୍ତିରେ ଆପଣ ୨୮୦ଫୁଟ ପର୍ୟ୍ୟନ୍ତ ଯାଇପାରିବେ। ଏଥିସହ ଏହାକୁ ୨୦ କିଲୋମିଟର ଦୂରରୁ କାଙ୍କୋରୋଲି ସ୍ଥିତ ଫ୍ଳାଏଓଭରରୁ ଦେଖିପାରିବେ।
ଏହା ଶିବ ଶାନ୍ତ ଭାବେ ଧ୍ୟାନ କରିବାର ପ୍ରତିମା ପ୍ରସ୍ତୁତ କରାଯାଇଛି। ଏହା ଛଡ଼ା ଏଥିରେ ବ୍ୟବହାର ହୋଇଥିବା ଲାଇଟ ଆମେରିକାରୁ ଅଣାଯାଇଛି। ବର୍ତ୍ତମାନ ଉଦୟପୁରକୁ ଆସିଥିବା ପର୍ୟ୍ୟଟକ ଶ୍ରୀନାଥଙ୍କ ମନ୍ଦିର ସହ ଦେଶର ଦ୍ବିତୀୟ ଉଚ୍ଚତର ପ୍ରତିମାର ମଧ୍ୟ ଉପଭୋଗ କରିପାରିବେ।