ଖୋର୍ଦ୍ଧା: ଚିଲିକା ବ୍ଲକ ସାନ ନଈରି ଗ୍ରାମ ନିକଟସ୍ଥ ଚିଲିକା ହ୍ରଦର ଜଳରାଶି ମଧ୍ୟରେ କାଙ୍କଣ ଶିଖରୀ ନାମରେ ଏକ ଟାପୁ ରହିଛି।ଯାହା ଏକ ପବିତ୍ର ଓ ଆଧ୍ୟାତ୍ମିକ ସ୍ଥଳୀ। ଜଗତର ନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର ଭାବେ ପରିଚିତ।ପ୍ରତିବର୍ଷ କାଙ୍କଣ ଶିଖରୀରେ ନିଆରା ଢ଼ଙ୍ଗରେ ମହାପ୍ରଭୁଙ୍କର ରଥଯାତ୍ରା ପାଳନ ହୋଇଥାଏ। ଚିଲିକା ହ୍ରଦର ଅଥଳ ଜଳରାଶିରେ ନୌକା ରଥରେ ଯାତ୍ରା କରନ୍ତି ମହାପ୍ରଭୁ। ରଥଯାତ୍ରା ପାଇଁ ପ୍ରସ୍ତୁତ ହୋଇଥିବା ସ୍ବତନ୍ତ୍ର ଡଙ୍ଗାରେ ବିରାଜମାନ ହୋଇ ତିନି ଠାକୁର ରଥଯାତ୍ରା କରନ୍ତି । ଶୀକ୍ଷେତ୍ରରେ ମହାପ୍ରଭୁ ବଡ଼ଦାଣ୍ଡରୁ ଶରଧାବାଲି ଯାଉଥିବା ବେଳେ କାଙ୍କଣ ଶିଖରୀରୁ ବାହାରି ତିନିଠାକୁର ଜଳ ଭିତରେ ନୌକାରଥରେ ବିରାଜମାନ ହୋଇ ବିହାର କରି ପୁଣି ସେଠାକୁ ଫେରିଆସନ୍ତି।
ମୋଗଲ ନାଏବ ନଜିମ୍ ତକି ଖାଁ ଯେତେବେଳେ ଜଗନ୍ନାଥଙ୍କ ଉପରେ ଆକ୍ରମଣ କରିଥିଲା ସେତେବେଳେ ଦଇତାପତିମାନେ ପ୍ରଭୁ ଜଗନ୍ନାଥଙ୍କୁ ପାରିକୁଦର ଗୁରୁବାଇକୁ ନେଇଥିଲେ। ସେଠାରେ ଗୋଟିଏ ରାତି ପରେ ଚିଲିକାରେ ଜଳରାଶିରେ ନଈରୀ ନିକଟ ଏହି କୁଦରେ ଆଣି ରଖିଥିଲେ। ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ ଭୋଗ ଲାଗି ପାଇଁ କୌଣସି ସୁବିଧା ନଥିଲା।ଟାପୁଟି ଘଞ୍ଚଜଙ୍ଗଲରେ ପରିପୂର୍ଣ ଥିଲା। କେବଳ କାଙ୍କଡ଼ ଫଳ ବ୍ୟତୀତ ଅନ୍ୟ କିଛି ମିଳି ନଥିଲା। ତେଣୁ ସେଠାରେ ପ୍ରଭୁ ଜଗନ୍ନାଥଙ୍କୁ କାଙ୍କଣ ଭୋଗ ଲାଗି ହେଉଥିଲା। ପରେ ପରେ ଜଗନ୍ନାଥଙ୍କୁ ଶ୍ରୀମନ୍ଦିର ନିଆଯାଇଥିଲା।
ସେହି ଦିନଠାରୁ କାଙ୍କଣ ଏହି ସ୍ଥାନରୁ ଜଗନ୍ନାଥ ମନ୍ଦିରକୁ ନିଆଯାଏ ଓ ଭୋଗ କରାଯାଇଥାଏ। ଜଗନ୍ନାଥ,ବଳଭଦ୍ର ଓ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା କରାଯାଉଅଛି । ଗଜପତି ମହାରାଜା ମଧ୍ୟ୍ୟ ଏହି ସ୍ଥାନକୁ ଆସିଛନ୍ତି। ଉକ୍ତ ସ୍ଥାନଟି କାଙ୍କଣ ଶିଖରୀ ନାମରେ ପରିଚିତ। ଜଗନ୍ନାଥଙ୍କ ପ୍ରତ୍ୟେକ ରୀତିନୀତି କରାଯାଏ। ରାଜ୍ୟରୁ ରାଜ୍ୟ ବାହାରୁ ବହୁ ଭକ୍ତ ଆସି ଦର୍ଶନକରି ଯାଆନ୍ତି। ଟାପୁ ଚତୁଃପାର୍ଶ୍ଵରେ ସବୁଜ ଜଙ୍ଗଲ। ଏହା ମଧ୍ୟରେ ପ୍ରଭୁ ଜଗନ୍ନାଥ। ଏହି ସ୍ଥାନଟି କାଙ୍କଣ ଶିଖରୀ ନାମରେ ନାମିତ, ଯାହା ଜଗତରନାଥ ପ୍ରଭୁ ଜଗନ୍ନାଥଙ୍କ ଲୀଳାକ୍ଷେତ୍ର କାଙ୍କଣ ଶିଖରୀ।