ଦୁବାଇ: ଭାରତର ଚାମ୍ପିଅନ୍ସ ଟ୍ରଫି ବିଜୟରେ ଚମତ୍କାର ଭୂମିକା ଗ୍ରହଣ କରିଥିବା ଷ୍ଟାଇଲିସ୍ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ମାର୍ଚ୍ଚ ମାସ ପାଇଁ ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି। କ୍ରିକେଟରେ ଶ୍ରେଷ୍ଠ ପ୍ରଦର୍ଶନ ସହ ଶୀର୍ଷରେ ରହିଥିବାରୁ ତାଙ୍କୁ ମାର୍ଚ୍ଚ ମାସ ପାଇଁ ତାଙ୍କୁ ‘ଆଇସିସି ମେନ୍ସ ପ୍ଳେୟାର’ ପୁରସ୍କାର ପ୍ରଦାନ କରାଯାଇଛି।
ନ୍ୟୁଜିଲାଣ୍ଡର ଜାକବ ଡଫି ଏବଂ ରାଚିନ ରବିନ୍ଦ୍ରଙ୍କୁ ପଛରେ ପକାଇ ଏକଦିବସୀୟ ଇଭେଣ୍ଟରେ ସର୍ବାଧିକ ୨୪୩ ରନ କରି ଶ୍ରେୟସ ଆୟର ଏହି ସମ୍ମାନ ଜିତିଛନ୍ତି।
ସୂଚନା ଅନୁଯାୟୀ ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ସର୍ବାଧିକ ୨୪୩ ରନ ସ୍କୋର କରିଥିଲେ । କେବଳ ସେତିକି ନୁହେଁ, ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଶୁଭମନ ଗିଲ ଫେବୃଆରୀ ମାସରେ ଏହି ପୁରସ୍କାର ଜିତିଥିବା ବେଳେ ଶ୍ରେୟସ ଆୟର ମାର୍ଚ୍ଚ ପାଇଁ ଏହି ପୁରସ୍କାର ଜିତିଛନ୍ତି ।
ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫିରେ ନ୍ୟୁଜିଲାଣ୍ଡ ବିପକ୍ଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ୭୯ ବଲରେ ୯୮ ରନ୍ କରିଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ୪୫ ବଲରେ ୬୨ ରନ୍ କରିଥିଲେ । ସେହିପରି ଫାଇନାଲରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪୮ ବଲରେ ୬୨ ରନ୍ କରିଥିଲେ ।
ଶ୍ରେୟସ ଆୟର ଚାମ୍ପିଅନ୍ସ ଟ୍ରଫି ଭଳି ଫର୍ମ ଆଇପିଏଲ ୨୦୨୫ରେ ଜାରି ରଖିଛନ୍ତି । ସେ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳି ୨୫୦ ରନ୍ କରିଛନ୍ତି । ଏହି ସିଜନରେ ଶ୍ରେୟସ ଏପର୍ଯ୍ୟନ୍ତ ୩ଟି ଅର୍ଦ୍ଧଶତକ ମାରିଛନ୍ତି ।
ମାର୍ଚ୍ଚ ମାସ ପାଇଁ ‘ଆଇସିସି ମେନ୍ସ ପ୍ଳେୟାର’ ତଥା ମାସର ଶ୍ରେଷ୍ଠ ଖେଳାଳି ଭାବରେ ମନୋନୀତ ହେବା ମୋ ପାଇଁ ଗର୍ବର ବିଷୟ। ଏହି ମାନ୍ୟତା ଅତ୍ୟନ୍ତ ସ୍ୱତନ୍ତ୍ର, ବିଶେଷକରି ଏପରି ଏକ ମାସରେ ଯେଉଁଠାରେ ଆମେ ଆଇସିସି ଚାମ୍ପିଅନ୍ସ ଟ୍ରଫିରେ ବିଜୟ ଲାଭ କରିଛୁ। ଏଭଳି ଏକ ବିଶେଷ ମୁହୂର୍ତ୍ତକୁ ମୁଁ ସର୍ବଦା ପାଇଁ ପାଳନ କରିବି ଶ୍ରେୟସ ଆୟର କହିଛନ୍ତି।