ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତିକୁ ଶ୍ରୀଜଗନ୍ନାଥ ସେନା ପକ୍ଷ୍ୟରୁ ବିରୋଧ

0

କୋଭିଡ ସଂକ୍ରମଣ ବୃଦ୍ଧି ପାଇବା ଆଶଙ୍କା କୁ ନେଇ ଭକ୍ତ ଙ୍କ ପାଇଁ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି କୁ ଶ୍ରୀଜଗନ୍ନାଥ ସେନା ବିରୋଧ କରିଛନ୍ତି । ଶ୍ରୀମନ୍ଦିର ଯେଭଳି ଢଙ୍ଗରେ ବନ୍ଦ କରାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ବୋଲି ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି। ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ କେବଳ ଛତିସା ନିଯୋଗର ମତାମତ ନେଇ ଯେଉଁ ନିଷ୍ପତ୍ତି ନିଆଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ନିଷ୍ପତ୍ତି। ଛତିସା ନିଯୋଗ କେଵଳ ଶ୍ରୀମନ୍ଦିରରେ ଶୃଙ୍ଖଳିତ ନୀତିକାନ୍ତି ସମ୍ପର୍କରେ ମତାମତ ଦେବାର ନିୟମ ରହିଛି। ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ତଥା ଶ୍ରୀମନ୍ଦିର ପରିଚାଳନା ନେଇ କୌଣସି ନିଷ୍ପତ୍ତି ନେବାର କ୍ଷମତା ଛତିସା ନିଯୋଗରେ ନାହିଁ। ଏପରିକି ଶ୍ରୀମନ୍ଦିର ବନ୍ଦକୁ ନେଇ ପୂର୍ବରୁ ଗଜପତି ମହାରାଜା , ଶଙ୍କରାଚାର୍ୟ୍ୟଙ୍କ ମତାମତ ନ ନିଆଯାଇ ପ୍ରଶାସନିକ ଅଧିକାରୀ ମାନେ ନିଜର ବ୍ୟକ୍ତିଗତ ସମ୍ପତ୍ତି ଭାବି ଶ୍ରୀମନ୍ଦିରକୁ ବନ୍ଦ କରିଛନ୍ତି। ଯାହା ଫଳରେ କୋଟି କୋଟି ଭକ୍ତ ମହାପ୍ରଭୁଙ୍କ ଦର୍ଶନରୁ ଏବେ ବଂଚିତ। ଭାରତ କୌଣସି ସ୍ଥାନରେ ଏ ପର୍ୟ୍ୟନ୍ତ ମନ୍ଦିର ବନ୍ଦ ହୋଇ ନ ଥିବାବେଳେ କୋଭିଡ ସଂକ୍ରମଣ ଆଢୁଆଳରେ ଶ୍ରୀମନ୍ଦିରକୁ ଭକ୍ତଙ୍କ ପାଇଁ ବନ୍ଦ କାହିଁକି କରାଗଲା ବୋଲି ଶ୍ରୀଜଗନ୍ନାଥ ସେନା ପ୍ରଶ୍ନ କରିଛି। ସେହିପରି ଶ୍ରୀମନ୍ଦିର ଖୋଲିଲେ ଭକ୍ତଙ୍କ ଆଗମନ ହେତୁ ପୁରୀ ରେ ସେବାୟତଙ୍କ ଠାରୁ ଆରମ୍ଭ କରି ହୋଟେଲ ବ୍ୟବସାୟୀ , ଉଠା ଦୋକାନୀ , ରିକ୍ସା , ଅଟୋ , ଆଦି ବିଭିନ୍ନ ବ୍ୟବସାୟୀ ରୋଜଗାର କରି ନିଜ ଘର ପ୍ରତିପୋଷଣ କରୁଛନ୍ତି। ରାଜ୍ୟ ସରକାର କୋଭିଡର ତୃତୀୟ ଲହର ସଂକ୍ରମଣ ଏତେ କ୍ଷତିକାରକ ନୁହେଁ ବୋଲି ମତ ଦେଉଥିବାବେଳେ ପଂଚାୟତ ନିର୍ବାଚନଠାରୁ ଆରମ୍ଭ କରି ବିଭିନ୍ନ ସରକାରୀ କାର୍ୟ୍ୟ ସମେତ ବଜାର ଘାଟ ଖୁଲମ ଖୁଲା ଚାଲୁଥିବାବେଳେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀମନ୍ଦିର ପରିଚାଳନା କମିଟି ବିନା ଅନୁମୋଦନରେ ଶ୍ରୀମନ୍ଦିର ବନ୍ଦ ନିଷ୍ପତ୍ତି ନେଇ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କୁ ଆଘାତ ଦେଇଛି । ତୁରନ୍ତ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସର୍ବସାଧାରଣରେ କ୍ଷମା ପ୍ରାର୍ଥନା କରି ଶ୍ରୀମନ୍ଦିର ନ ଖୋଲିଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଶ୍ରୀଜଗନ୍ନାଥ ସେନା ଚେତାବନୀ ଦେଇଛି ।