ଭୁବନେଶ୍ୱର : ଗୋଲଡେନ୍ ଆୱାରର ଉଦାହରଣ ସୃଷ୍ଟି କଲେ ଅଭିନେତା ସିଦ୍ଧାନ୍ତ ମହାପାତ୍ର | ରବିବାର ଖରାବେଳେ ପାହାଳ ପାଖ ରାଜପଥ ଉପରେ ସିଦ୍ଧାନ୍ତ ମହାପାତ୍ର ଜଣେ ଗୁରୁତର ଆଘାତପ୍ରାପ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ପ୍ରମୁଖ ଭୂମିକା ନିଭାଇ ଚନ୍ତି। ସିଦ୍ଧାନ୍ତ ବାଲିକୁଦା-ଗୋପାଳପୁର ପଟରୁ ଆସି ଜାତୀୟ ରାଜପଥରେ ଭୁବନେଶ୍ବର ଫେରୁଥିଲେ। ପାହାଳ ପାଖ ଫ୍ଲାଏଓଭର୍ ଗଡ଼ାଣି ନନା ହୋଟେଲ ସାମନାରେ ତାଙ୍କ କାର ପାଖରୁ ପ୍ରାୟ କୋଡ଼ିଏ ମିଟର ଦୂରରେ ଏକ ଭ୍ୟାନ୍ ପଛପଟୁ ଜଣେ ବାଇକ୍ ଆରୋହୀଙ୍କୁ ଧକ୍କା ମାରି ବହୁବାଟ ଘୋଷାଡି ନେବା ଦେଖିଲେ। ବାଇକ ଆରୋହୀଙ୍କ ଗୋଟିଏ ଗୋଡ଼ ପ୍ରାୟ ଶରୀରରୁ ଅଲଗା ହେବା ସହ ପ୍ରଚୁର ରକ୍ତସ୍ରାବ ହେଉଥିଲା।
ନିଜ ଗାଡ଼ି ଅଟକାଇ ଆହତ ବ୍ୟକ୍ତିଙ୍କୁ ଆଗ ଡାକ୍ତରଖାନା ନେବା ପାଇଁ ସେ ବ୍ୟବସ୍ଥା କଲେ। ପିସିଆର୍ ଭ୍ୟାନ୍ ଯୋଗେ ଆମ୍ବୁଲାନ୍ସକୁ ଆହୁରି ଶୀଘ୍ର ବାଟ କଢ଼ାଇବାର ବ୍ୟବସ୍ଥା କରାଇଲେ। ଫରେଷ୍ଟ ପାର୍କସ୍ଥିତ ସୁଶ୍ରୁତ ହସପିଟାଲରେ ତାଙ୍କୁ ନେଇ ଭର୍ତ୍ତି କରାଇଲେ। ଆହତ ବ୍ୟକ୍ତିଙ୍କ ମୋବାଇଲ ଫୋନରୁ ବହୁ କଲ୍ କରି ଶେଷରେ ଶ୍ରୀ ସ୍ବାଇଁଙ୍କ ପରିବାରବର୍ଗଙ୍କୁ ଖବର ଦେବାରେ ସଫଳ ହେଲେ। ସେମାନେ ସାଢ଼େ ଚାରିଟାରେ ଆସିବା ଯାଏ ନିଜେ ହସ୍ପିଟାଲରେ ଅପେକ୍ଷା କଲେ।