(ନୂଆଦିଲ୍ଲୀ): ବିଶ୍ୱର ଶ୍ରେଷ୍ଠ ୧୦୦ ମହିଳାଙ୍କ ମଧ୍ୟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସ୍ଥାନ ପାଇଛନ୍ତି । ନିର୍ମଳାଙ୍କ ସମେତ ଆମେରିକାର ନବ ନିର୍ବାଚିତ ଉପ ରାଷ୍ଟ୍ରପତି କମଳା ହାରିସ, ବାୟୋକନର ସଂସ୍ଥାପକ କିରଣ ମଜୁମଦାର ଶ’ ଓ ଏଚସିଏଲ ଏଣ୍ଟରପ୍ରାଇଜର ରୋଶନୀ ନାଦାର ଭଳି ମହିଳାମାନେ ଫୋର୍ବସ ପକ୍ଷରୁ ଜାରି ଏହି ତାଲିକାରେ ସ୍ଥାନ ପାଇଛନ୍ତି । ତେବେ ଅର୍ଥମନ୍ତ୍ରୀ ନିର୍ମଳା ୪୧ ତମ ସ୍ଥାନରେ ରହିଥିବା ବେଳେ ରୋଶନୀ ୫୫ତମ ଏବଂ କିରଣ ୬୮ତମ ସ୍ଥାନରେ ରହିଛନ୍ତି । ଲ୍ୟାଣ୍ଡମାର୍କ ସମୂହର ପ୍ରମୁଖ ରେଣୁକା ଜଗତିୟାନୀଙ୍କୁ ତାଲିକାର ୯୮ତମ ସ୍ଥାନ ମିଳିଛି । ଫୋର୍ବସ ପାୱାର ଲିଷ୍ଟର ଶୀର୍ଷରେ ଜର୍ମାନୀର ଚାନସେଲର ଆଞ୍ଜେଲା ମୋର୍କେଲ ରହିଛନ୍ତି । କ୍ରମାଗତ ୧୦ମ ଥର ପାଇଁ ମର୍କେଲ ଏହି ସ୍ଥାନ ଅକ୍ତିଆର କରି ରେକର୍ଡ କରିଛନ୍ତି । ତାଙ୍କ ତଳକୁ ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜେସିଣ୍ଡା ୨ୟ ସ୍ଥାନରେ ରହିଛନ୍ତି । ସେହିପରି ବିଲ ଓ ମିଲିଣ୍ଡା ଗେଟ୍ସ ଫାଉଣ୍ଡେସନର ଅଧ୍ୟକ୍ଷା ମିଲିଣ୍ଡା ଗେଟ୍ସ ତାଲିକାର ୫ମ ସ୍ଥାନରେ ରହିଛନ୍ତି । ଫେସବୁକର ମୁଖ୍ୟ ପରିଚାଳନା ଅଧିକାରୀ ଶେରିଲ ସ୍ୟାଣ୍ଡବର୍ଗ ୨୨ତମ, ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ୩୯ତମ, ବ୍ରିଟେନ ମହାରାଣୀ ଏଲିଜାବେଥ-୨ଙ୍କୁ ୪୬ତମ, ପ୍ରସିଦ୍ଧ କଳାକାର ରିହାନାଙ୍କୁ ୬୯ତମ ସ୍ଥାନ ମିଳିଛି । ଏହି ତାଲିକାରେ ୧୦ଟି ଦେଶର ମୁଖ୍ୟ, ୩୮ ଜଣ ସିଇଓ ଏବଂ ମନୋରଞ୍ଜନ କ୍ଷେତ୍ରରେ କାର୍ଯ୍ୟରତ ୫ ମହିଳା ରହିଛନ୍ତି । ୧୭ତମ ଫୋର୍ବସ ପାୱାର ଲିଷ୍ଟରେ ୩୦ ଦେଶର ଶ୍ରେଷ୍ଠ ମହିଳାମାନଙ୍କ ନାମ ପ୍ରକାଶ ପାଇଛି ।
Edited by- Sriharsh Mishra