ଭୁବନେଶ୍ୱର: ରସୁଲଗଡ଼ ଓଭରବ୍ରିଜ ତଳେ ନିର୍ମାଣ ହୋଇଥିବା ବିଶ୍ୱର ପ୍ରଥମ ‘ପବ୍ଲିକ୍ ଆର୍ଟ ମ୍ୟୁଜିୟମ୍’ ନିର୍ମାଣର ମାତ୍ର ଗୋଟିଏ ବର୍ଷ ଭିତରେ ତାର ସୌନ୍ଦର୍ଯ୍ୟ ହରାଇଛି । ସ୍ଥାପତ୍ୟକୁ ବର୍ଷେ ନ ପୂରୁଣୁ ଏହା ଧ୍ୱଂସ ସ୍ତୁପରେ ପରିଣତ ହୋଇଛି । ଅନେକ ସ୍ଥାପତ୍ୟ ଭାଙ୍ଗିରୁଜି ଯିବା ବେଳେ ଅନେକୁ ଚୋରି କରି ନିଆଯାଇଛି । ଯାହା କିଛି ଅଛି ସେଥିରେ ଧୂଳି ଧୁସର ମାଡି ବସିଛି, ଫଳରେ କାରୁକାର୍ଯ୍ୟ ଜଣାପଡୁ ନାହିଁ । ଲୋକଙ୍କୁ ଜଳର ଗୁରୁତ୍ୱ ଓ ସଂରକ୍ଷଣ ଶିକ୍ଷା ଦେବା ଲକ୍ଷ୍ୟରେ ନିର୍ମାଣ କରାଯାଇଥିଲା ।
ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ରାଜଧାନୀର ସୌନ୍ଦର୍ଯ୍ୟ ବୃଦ୍ଧି କରାଯାଇଥିଲା । ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଶିଳ୍ପୀ ମାନବ ଗୁପ୍ତା ଏହି ସ୍ଥାପତ୍ୟର ନିର୍ମାଣ କରିଥିଲେ । ଏହାକୁ ‘ଦ ସିଟି ଇନ୍ ଦ ସିଟି’ ନାମକରଣ କରିଥିଲେ । ସୌନ୍ଦର୍ଯ୍ୟରେ କଳିଙ୍ଗର କଳା ସ୍ଥାପତ୍ୟକୁ ପ୍ରାଧାନ୍ୟ ଦିଆଯାଇଥିଲା । ଇତିହାସ ପାଲଟିଥିବା ଆମ ଦୈନନ୍ଦିନ ଜୀବନର କିଛି କଥାକୁ ଏଥିରେ ସ୍ଥାନ ଦିଆଯାଇଥିଲା । ଲୋକେ ନଳକୂପର ବ୍ୟବହାର ଭୁଲି ଯାଇଥିବା ବେଳେ ମେଟାଲ ସ୍ଲାବକୁ ବ୍ୟବହାର କରି ୨୦ ଫୁଟ୍ ଉଚ୍ଚତାର ଏକ ନଳକୂପ ତିଆରି କରାଯାଇଥିଲା । ବର୍ତ୍ତମାନ ଏହି ନଳକୂପରେ ଧୂଳି ମଳି ବସି, ମେଟାଲ ରଙ୍ଗ ଧୀରେ ଧୀରେ ଖରାପ ହେବାକୁ ଲାଗିଲାଣି । ନଳକୂପ ମୂଳ ସିମେଣ୍ଟ ପଲସ୍ତରା ଭାଙ୍ଗିବାକୁ ଲାଗିଲାଣି । ସେହିପରି ପ୍ରାକୃତିକ ବିପର୍ୟ୍ୟୟ ସମୟରେ ନଳକୂପର ଆବଶ୍ୟକତା ଓ ଜଳ ସଂରକ୍ଷଣର ସୁନ୍ଦର ବାର୍ତ୍ତା ଦେବାକୁ ଛୋଟ ଛୋଟ ନଳକୂପ ତିଆରି କରାଯାଇଥିଲା । ଏବେ ସେଠାରେ ନଳକୂପ ଅଛି, ହେଲେ ଏହାର ଅଧାଅଂଶକୁ କିଏ ଭାଙ୍ଗି ନେଇ ଯାଇଛନ୍ତି । କିଏ ନଳକୂପ ମାରିବା ଷ୍ଟାଣ୍ଡ୍ ଭାଙ୍ଗି ନେଇଛନ୍ତି ତ ଆଉ କିଏ ଏହାକୁ ମୂଳରୁ ଓପାଡ଼ି ନେଇ ଯାଇଛନ୍ତି ।
ଏହି ସ୍ଥାପତ୍ୟରେ ମାନବ ଗୁପ୍ତାଙ୍କ ଦ୍ୱାରା ଓଭରବ୍ରିଜ ନିର୍ମାଣ କାଳରେ ବଳି ପଡିଥିବା ସାମଗ୍ରୀ ବ୍ୟବହାର ହୋଇଥିଲା । ଏଥିରେ ଏକ ସିଂହାସନ ମଧ୍ୟ ତିଆରି କରାଯାଇଥିଲା, ଯାହା ଏବେ ଦୃଶ୍ୟମାନ ହେଉନି । ଭଙ୍ଗା ଇଟାରେ ପୂର୍ଣ୍ଣ ସିଂହାସନ । ଏହା ଉପରକୁ ଯିବା ପାଇଁ ପଡ଼ିଥିବା ଚାଦରରେ ମାଟି କାଦୁଅ ପଡ଼ି ରହିଛି । ଘାସ ଗଛ ଉଠିଲାଣି । ଖାଲି ସେତିକି ନୁହେଁ ପୁରୀ ଶ୍ରୀମନ୍ଦିର, ଲିଙ୍ଗରାଜ ମନ୍ଦିର, ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟକୁ ଛୋଟ ସ୍ଲାବରେ ରଙ୍ଗ ଦେଇ ଯେଉଁ ଚିତ୍ର ମାଧ୍ୟମରେ ଦେଖାଯାଇଛି ସେଗୁଡ଼ିକରୁ ବି ରଙ୍ଗ ଛାଡ଼ିଲାଣି । ସେହିଭଳି ଭାବେ ବିଭିନ୍ନ ଖେଳାଳିଙ୍କ ଚିତ୍ର ନଷ୍ଟ ହେବାକୁ ବସିଲାଣି । ଏହି ସ୍ଲାବ ତଳେ ଘାସ, ପାଣି ଓ ଧୂଳି ଜମି ଖରାପ ହେଲାଣି । ରସୁଲଗଡ଼ ଓଭରବ୍ରିଜ୍ ତଳେ ତିଆରି ହୋଇଥିବା ପବ୍ଲିକ ଆର୍ଟ ମ୍ୟୁଜିୟମ୍କୁ ମାତ୍ର ବର୍ଷେ ପୂରିଲା । ହେଲେ ଏହାକୁ ଦେଖିଲେ ଲାଗିବ ଯେମିତି ବହୁ ଦିନର ପୁରୁଣା କଳାକୃତି ।
ସରକାର କେବଳ ଅର୍ଥ ବିନିଯୋଗ କରି ସୌନ୍ଦର୍ଯ୍ୟକରଣ କାମ କରୁଛନ୍ତି, କିନ୍ତୁ ସେସବୁର ରକ୍ଷଣାବେକ୍ଷଣ କରାଯାଉ ନାହିଁ । ଖାଲି ଏହି କଳାକୃତ୍ତି ନୁହେଁ, ଏହା ପୂର୍ବରୁ ସୈନିକ ସ୍କୁଲ, ପ୍ଲାନିଟୋରିୟମ, ଦୂରଦର୍ଶନ ଅଫିସ ରାସ୍ତାରୁ ଆଚାର୍ଯ୍ୟବିହାର ରାସ୍ତା ଡିଭାଇଡରରେ ତିଆରି ହୋଇଥିବା ନିର୍ମାଣ ମଧ୍ୟ ଭାଙ୍ଗି ଗଲାଣି । ରକ୍ଷଣାବେକ୍ଷଣ ଅଭାବରୁ ସେସବୁରେ ଅନାବନା ଗଛର ଆସ୍ତରଣ । ଖାଲି କୋଟିକୋଟି ଟଙ୍କା ନଷ୍ଟ ହେବା ସାର ହେଉଛି ।