ଭୁବନେଶ୍ବର/ ସରୋଜ ରାଉତ: ରାଜଧାନୀ ସାପ ବିଷ ତସ୍କରୀର ଚେର ଲମ୍ବିଛି ବିଦେଶକୁ । ସାପ ବିଷ ଚୀନକୁ ହେଉଛି ସପ୍ଲାଏ । ଏହା ଉପରେ ଅଧିକ ତଦନ୍ତ ପାଇଁ ୱାଇଲଡ ଲାଇଫ କଣ୍ଟାଲ ବ୍ୟୁରୋର ସହାୟତା ନେଇପାରେ ସିଟି ଫରେଷ୍ଟ ଡିଭିଜନ । ଏନେଇ ଖୁବଶୀଘ୍ର ଜବଲପୁରରୁ ଟିମ ଆସି ତଦନ୍ତ କରିପାରନ୍ତି। କାରଣ ଜବତ ଏକ ଲିଟର ବିଷ ପାଖା ପାଖୁ ୨୦୦ରୁ ୨୫୦ ସାପର ହୋଇପାରେ । ଯାହାକୁ ଓଡିଶାରୁ ସଂଗ୍ରହ କରିବା ସହଜ ନୁହେଁ । ଏହି ବିଷ ସଂଗ୍ରହ ଓ ରତ୍ପାନୀ ପରି ହାଇପ୍ରୋଫାଇଲ କାରବାର ପଛରେ ଆନ୍ତର୍ଜାତୀୟ ଲିଙ୍କ ରହିଛି । ତେଣୁ ତଦନ୍ତକୁ ବ୍ୟାପକ କରିବାକୁ ହେବ । ଏହି ତସ୍କରୀର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ସୁପାରିଶ କରାଯିବ ବୋଲି ସିଟି ଡିଏଫଓ ଏ କେ ମିଶ୍ର କହିଛନ୍ତି ।
ଅନ୍ୟପଟେ ବିଷର ମାନ ଯାଂଚ ପାଇଁ ଜୁଲୋଜିକାଲ ସର୍ଭେ ଅଫ ଇଣ୍ଡିଆ କଲିକତା ଓ ଡେରାଡୁନ ସ୍ଥିତ ପ୍ରାଣୀ ସଂସ୍ଥାନକୁ ଯାଂଚ ପାଇଁ ପଠାଯିବ ବୋଲି କହିଛନ୍ତି ମିଶ୍ର। ତେବେ ଏସବୁ ବିଷକୁ ଡ୍ରଗ୍ସ ଭାବେ ବ୍ୟବହାର ପାଇଁ ହୁଏତ ମାର୍କେଟ ତିଆରି କରୁଥାଇପାରନ୍ତି ବୋଲି ସନ୍ଦେହ ପ୍ରକାଶ ପାଇଛି। ତେଣୁ ଗିରଫ ଅଭିଯୁକ୍ତମାନଙ୍କୁ ରିମାଣ୍ଡରେ ଅଣାଯାଇ ପାରେ । ଅନ୍ୟପଟେ ଏହି ଘଟଣାର କିଙ୍ଗପିନ କୁହାଯାଉଥିବା ଗିରଫ ସୁରଜ ଦାସର ବାପା ଫେରାର ଥିବା ବେଳେ ତାକୁ ଖୋଜିବା ପାଇଁ ବିଭିନ୍ନ ସ୍ଥାନରେ ରେଡ ଜାରି ରହିଛି । ସେ ଗିରଫ ହେଲେ ବହୁ ଗୁପ୍ତ ତଥ୍ୟ ସାମ୍ନାକୁ ଆସିବ ବୋଲି ମିଶ୍ର କହିଛନ୍ତି ।