ମୁମ୍ବାଇ: ମଣିଷର ଅଦ୍ଭୂତ ମାନସିକତା । ସାପ ମୁଣ୍ଡରେ କଣ୍ଡମ ପୁରାଇବାକୁ ସାପଟି ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ତାକୁ ଉଦ୍ଧାର କରାଯାଇଛି । ଘଟଣାଟି ଘଟିଛି ମୁମ୍ବାଇରେ । ମୁମ୍ବାଇର କାନ୍ଦିଭାଲି ଅଞ୍ଚଳରେ ଗତ ଶନିବାର ଦିନ ଏକ ସାପ ବଞ୍ଚିବା ପାଇଁ ସଂଗ୍ରାମ କରୁଥିବା ଦେଖିବାକୁ ମିଳିଥିଲା । କାରଣ କେହି ଜଣେ ଏକ ବ୍ୟବହୃତ କଣ୍ଡମକୁ ତାର ମୁଣ୍ଡରେ ଭର୍ତ୍ତି କରି ଦେଇଥିଲେ । ଶ୍ୱାସ କ୍ରିୟା ସ୍ୱାଭାବିକ ନ ହେବାରୁ ସାପର ଅବସ୍ଥା ସଂକଟାପନ୍ନ ହୋଇଯାଇଥିଲା । ସାପକୁ ଉଦ୍ଧାର କରି ଜଣେ ପଶୁ ଚିକିତ୍ସକଙ୍କ ନିକଟକୁ ନିଆଯାଇ ଚିକିତ୍ସା କରାଯାଇଥିଲା ।
ଶନିବାର ସକାଳ ୮.୩୦ରେ ସାପଟି ସଂକଟାପନ୍ନ ଅବସ୍ଥାରେ ଦେଖି ଜଣେ ସାପ ଉଦ୍ଧାରକାରୀ ମିତାଙ୍କୁ ସ୍ଥାନୀୟ ଲୋକେ ଡାକିଥିଲେ । ମିତାଙ୍କୁ କୁହାଯାଇଥିଲା, ଏକ ସାପ ଜରିରେ ଗୁଡେଇ ହୋଇଥିବାରୁ ବାହାରି ପାରୁ ନାହିଁ । କିନ୍ତୁ ଉଦ୍ଧାରକାରୀ ସେଠାରେ ପହଞ୍ଚି ପାଇଥିଲେ କି ସାପର ମୁଣ୍ଡରେ ଏକ ବ୍ୟବହୃତ ଅପରିଷ୍କାର କଣ୍ଡମକୁ ଭର୍ତ୍ତି କରାଯାଇଛି । ଏପରି ବିକୃତ କାର୍ଯ୍ୟ ଯିଏ ବି କରିଛି ସେ ନିଶ୍ଚିତ ଜଣେ ତାଲିମପ୍ରାପ୍ତ ସାପ ଧରାଳି ବା ବିଶେଷଜ୍ଞ । ନହେଲେ ଏପରି ସାପକୁ ନିୟନ୍ତ୍ରଣ କରିବା ସହଜ କଥା ନୁହେଁ । ଏହି ସାପର କାମୁଡା ଅତ୍ୟନ୍ତ ଯନ୍ତ୍ରଣାଦାୟୀ, ଯଦିଓ ଏହା ବିଷାକ୍ତ ନୁହେଁ । ଏହି ସାପର ଦାନ୍ତ ଅତ୍ୟନ୍ତ ତୀକ୍ଷ୍ନ ଓ ଛୁଞ୍ଚି ସଦୃଶ । ଏହା କାମୁଡିଲେ ସହଜରେ ପୀଡିତକୁ ଛାହି ନ ଥାଏ । ମିତା ସାପକୁ ଉଦ୍ଧାର କରି ପ୍ରଥମେ ପଶୁ ଚିକିତ୍ସକଙ୍କ ନିକଟକୁ ନେଇ ତାର ଚିକିତ୍ସା କରାଇଥିଲେ ଓ ସେ ସୁସ୍ଥ ହେବାରୁ ତାକୁ ଜଙ୍ଗଲରେ ଛାଡି ଦେଇଥିଲେ ।