ନୂଆଦିଲ୍ଲୀ: ଭାରତ ଏକ ନୂଆ ଇତିହାସ ସୃଷ୍ଟି କରିବାକୁ ଯାଉଛି । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରେର)ର ଚନ୍ଦ୍ରଯାନ-୩ ଆଜି ସନ୍ଧ୍ୟା ୬ଟା୪ରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଚନ୍ଦ୍ରଯାନ-୩ର କାର୍ଯ୍ୟକଳାପ ଉପରେ ଇସ୍ରୋ ଇଞ୍ଜିନିୟର ଏବଂ ବୈଜ୍ଞାନିକମାନେ ତୀକ୍ଷ୍ଣ ନଜର ରଖିଛନ୍ତି। ଭାରତର ବହୁ ପ୍ରତୀକ୍ଷିତ ଚନ୍ଦ୍ରଯାନ-୩ ଉପରେ ସାରା ବିଶ୍ବର ନଜର ରହିଛି। ରୁଷର ଚନ୍ଦ୍ରଯାନ ଲୁନା-୨୫ ବିଫଳତା ପରେ ସାମାନ୍ୟ ଚିନ୍ତା ବୃଦ୍ଧି ପାଇଛି। ହେଲେ ଭାରତୀୟ ବୈଜ୍ଞାନିକ ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଅଛନ୍ତି।
ଚନ୍ଦ୍ରଯାନର ସଫଳତା ପାଇଁ ସବୁଠି ପୂଜାର୍ଚ୍ଚନା କରାଯାଉଛି। ଉତ୍ତରପ୍ରଦେଶ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଯଜ୍ଞ କରାଯାଉଛି। ବନାରସର କାମାଖ୍ୟା ମନ୍ଦିରରେ ଯଜ୍ଞ କରାଯାଉଛି ଏବଂ ଲକ୍ଷ୍ନୌର ଇସ୍ଲାମିକ ସେଣ୍ଟର ଅଫ୍ ଇଣ୍ଡିଆରେ ଲୋକେ ନମାଜ ପଢୁଛନ୍ତି। ମଧ୍ୟପ୍ରଦେଶ ଖରଗୋନର ପ୍ରସିଦ୍ଧ ସିଦ୍ଧନାଥ ମହାଦେବ ମନ୍ଦିରରେ ପୂଜା ଏବଂ ଆଳତୀ କରାଯାଇଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟଲ୍ୟାଣ୍ଡିଂ କରିବାରେ ସଫଳ ହେବ ବୋଲି ଇସ୍ରୋ ଅଧ୍ୟକ୍ଷ ଏସ୍ ସୋମନାଥ କହିଛନ୍ତି। ସମୟ ସମୟରେ ଚନ୍ଦ୍ରଯାନର ସବୁ ସିଷ୍ଟମକୁ ଯାଞ୍ଚ କରାଯାଉଛି। ସବୁ କିଛି ଭଲଭାବେ କାମ କରୁଛି। ଲ୍ୟାଣ୍ଡର ଅବତରଣ ପାଇଁ ପ୍ରସ୍ତୁତ ହୋଇ ରହିଛି। ଏହି ଅଭିଯାନ ସଫଳ ହେଲେ ଭାରତ ଚନ୍ଦ୍ର ବିଜୟ କରିଥିବା ବିଶ୍ବର ଚତୁର୍ଥ ରାଷ୍ଟ୍ର ହୋଇଯିବ। ମାତ୍ର ଦକ୍ଷିଣ ମେରୁରେ ଯାନ ଅବତରଣ କରିଥିବା ବିଶ୍ବର ପ୍ରଥମ ରାଷ୍ଟ୍ର ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦକ୍ଷିଣ ଆଫ୍ରିକାରୁ ଚନ୍ଦ୍ରଯାନର ଅବତରଣ ଦେଖିବେ।