ଶ୍ୱଶୁର ଘରକୁ ଆସି ଜ୍ୱାଇଁର ଉନ୍ମତ କାଣ୍ଡ: ଜ୍ୱାଇଁ ଆକ୍ରମଣରେ ଶାଶୁ ଗୁରୁତର

0

ଜଳେଶ୍ଵର /ଅଜିତ କୁମାର ସାହୁ:  ମକର ସଂକ୍ରାନ୍ତିରେ ଶ୍ଵଶୁର ଘରକୁ ଆସି ଜ୍ୱାଇଁର ଉନ୍ମତ କାଣ୍ଡ।ଏକ ଧାରୁଆ ଛୁରୀରେ ଶାଶୁକୁ ଜ୍ୱାଇଁର ଆକ୍ରମଣ।ଗୁରୁତ୍ୱର ଅବସ୍ଥାରେ ଶାଶୁ ବାସନ୍ତୀ ବେହେରା ବାଲେଶ୍ୱର ସ୍ଥାନାନ୍ତରିତ।ଗ୍ରାମବାସୀ ଜ୍ୱାଇଁକୁ ଅଟକ ରଖି ପୋଲିସକୁ କଲେ ହସ୍ତାନ୍ତର।ଜ୍ୱାଇଁ  ଥାନାରେ ଅଟକ।ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନା ନେତୁଆ ଗ୍ରାମରେ। ଗ୍ରାମର ଦେବେନ୍ଦ୍ର ବେହେରାଙ୍କ ବଡ଼ ଝିଅ ମାଳତୀଙ୍କୁ ଭୋଗରାଇ ବ୍ଲକ ଅଲାଲବିନ୍ଧା ଗ୍ରାମର ଶ୍ରୀକାନ୍ତ ଦାସଙ୍କ ପୁଅ ରମାକାନ୍ତ ଦାସଙ୍କ ସହିତ ବିବାହ ଦେଇଥିଲେ। ସ୍ୱାମୀ ଓ ସ୍ତ୍ରୀ ମଧ୍ୟରେ ଦୀର୍ଘ ଦିନ ହେବ ଝଗଡା ଲାଗି ରହିଥିଲା। ସ୍ତ୍ରୀ ମାଳତୀ ୫ ଦିନ ତଳେ ବାପ ଘରକୁ ଆସି ଆଉ ଶାଶୁ ଘରକୁ ଫେରି ନ ଥିଲେ। ତେବେ ଆଜି ଅପରାହ୍ନ ସମୟରେ ଜ୍ୱାଇଁ ରମାକାନ୍ତ ଦାସ ଶଶୁର ଘରକୁ ଆସି  ସ୍ତ୍ରୀ ମାଳତୀଙ୍କୁ ସାଥିରେ ନେବାକୁ ଜିଦ ଧରିଥିଲେ । ମାତ୍ର ଶାଶୁ ବାସନ୍ତୀ ବାରଣ କରିଥିଲେ। ସମାଧାନ ପରେ ଝିଅ ଯିବ ବୋଲି କହିଥିଲେ। ହଠାତ ଜ୍ୱାଇଁ ଉତ୍ତକ୍ଷିପ୍ତ ହୋଇ ଘରୁ ଆଣିଥିବା ଏକ ଧାରୁଆ ଛୁରୀରେ ଶାଶୁ ବାସନ୍ତି ବେହେରାଙ୍କ ପେଟକୁ ଆକ୍ରମଣ କରିଥିଲେ। ଜ୍ୱାଇଁ ଆକ୍ରମଣରେ ଶାଶୁ ଗୁରୁତର ହୋଇ ପଡ଼ିଥିଲେ। ଗୁରୁତର ବାସନ୍ତୀଙ୍କୁ ଘରଲୋକେ ସଙ୍ଗେ ସଙ୍ଗେ ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ, ମାତ୍ର ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଡାକ୍ତର ଖାନାକୁ ସ୍ଥାନାନ୍ତରିତ କରାଯାଇଛି। ଜ୍ୱାଇଁ ରମାକାନ୍ତଙ୍କୁ ଗ୍ରାମବାସୀ ଅଟକ ରଖି ଜଳେଶ୍ୱର ପୋଲିସକୁ ହସ୍ତାନ୍ତର କରିଛନ୍ତି। ପୋଲିସ ରମାକାନ୍ତକୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଜାରୀ ରଖିଛି।