ରାଉରକେଲା-: ଇସ୍ପାତ ସହରରେ ରକ୍ତର ଛିଟା । ରାଉରକେଲାରେ ଘଟିଛି ପୁଣି ଏକ ହତ୍ୟା କାଣ୍ଡ । ନିଜ ବାପାକୁ ହତ୍ୟା କଲା ପୁଅ । ହତ୍ୟା କରି କହିଲା ମାଆ ହତ୍ୟାର ନେଇଛି ପ୍ରତିଶୋଧ । ବାପାକୁ ହତ୍ୟା କରିଥିବା ପୁଅକୁ ପୁଲିସ ଗିରଫ କରିଛି । ଅଭିଯୁକ୍ତର ନାମ ବିଷ୍ଣୁ ବର୍ମା ବୋଲି ଜଣାପଡିଛି
ସୂଚନା ଅନୁସାରେ ବ୍ରାହ୍ମଣୀ ତରଙ୍ଗ ଥାନା ଭାଲୁପାତ୍ର ଅଞ୍ଚଳରେ କ୍ରାନ୍ତି ବର୍ମା ନାମକ ବ୍ୟକ୍ତି ନିଜ ସ୍ତ୍ରୀକୁ ହତ୍ୟା କରିବା ଅଭିଯୋଗରେ କିଛି ବର୍ଷ ତଳେ ଜେଲ ଯାଇଥିଲେ । ଗତ ଡିସେମ୍ବର ମାସରେ ସେ ଦଣ୍ଡ ବିଧାନ ପୂରଣ କରି ଗାଁକୁ ଫେରିଥିଲେ । କିନ୍ତୁ ଜେଲରୁ ଫେରିବା ପରେ ସେ ନିଜ ପୁଅ ବିଷ୍ଣୁ ପ୍ରତି ହିଂସାତ୍ମକ ଆଚରଣ ଜାରି ରଖିଥିଲେ, ପ୍ରାୟତଃ ତାଙ୍କୁ ଆକ୍ରମଣ କରୁଥିଲେ ଏବଂ ଗାଁର ମହିଳାମାନଙ୍କୁ ହଇରାଣ କରୁଥିଲେ । ବିଷ୍ଣୁ ତାଙ୍କ ବାପାଙ୍କ ଆଚରଣରେ ବିରକ୍ତ ହୋଇପଡ଼ିବା ସହିତ ମା’ ହତ୍ୟାର ପ୍ରତିଶୋଧ ନେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା । ଶେଷରେ ବାପାକୁ ହତ୍ୟା କରି ରାସ୍ତାକଡ଼ରେ ମୃତଦେହ ଫିଙ୍ଗିଦେଇଥିଲା ।
ସୂଚନା ପାଇ ପୋଲିସ ମୃତଦେହ ଜବତ କରି ଫୋରେନସିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରି ବିଷ୍ଣୁକୁ ଗିରଫ କରି ପଚାର ଉଚରା କରିଥିଲା । ତଦନ୍ତରେ ବିଷ୍ଣୁ ଅପରାଧ ସ୍ୱୀକାର କରିବା ସହିତ ପୋଲିସକୁ କହିଛି ଯେ ସେ ତା ମାଆଙ୍କ ମୃତ୍ୟୁ ପରେ ସେ ଯେଉଁ ଆଘାତ ଏବଂ ଯନ୍ତ୍ରଣା ଭୋଗିଥିଲେ, ସେଥିପାଇଁ ସେ ତାଙ୍କ ବାପାଙ୍କୁ ହତ୍ୟା କରିବାକୁ ବାଧ୍ୟ ହୋଇଥିଲେ ।