(ଶୁଭସ୍ମିତା ଦାଶ): କିଏ ଜିତିବ, କିଏ ହାରିବ ଏହା ନିଶ୍ଚିତ । ହେଲେ ସମସ୍ତଙ୍କର ସ୍ୱତନ୍ତ୍ରତା ରହିଛି ଓ ସମସ୍ତେ ସମସ୍ତଙ୍କ ଠାରୁ ଅଲଗା । ପ୍ରତିଯୋଗିତାରେ ଭାଗ ନେଇ ଯେଉଁ ଅଭିଜ୍ଞତା ଆସିଛି ତାହା ଆଗାମୀ ଦିନରେ କାମରେ ଆସିବ ବୋଲି କହିଛନ୍ତି ସୋନାଲି । ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ର କୁନି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିବା ଦିଗରେ ଏପରି ସନ୍ଦେଶ ଦେଇଛନ୍ତି ବଲିଉଡ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ । ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ର ଫିନାଲେ ଆସନ୍ତା ରବିବାର ହେବ । ଭିଡିଓ ସନ୍ଦେଶରେ ଫାଇନାଲିଷ୍ଟଙ୍କୁ ଉତ୍ସାହିତ କରିଥିବାରୁ ସମସ୍ତେ ସୋନାଲିଙ୍କୁ ପ୍ରଶଂସା କରିଛନ୍ତି ।
ଚର୍ଚ୍ଚାର ବିଷୟ ହେଉଛି ତାଙ୍କ ଠାରେ ଦେଖାଦେଇଥିବା କ୍ୟାନସର ରୋଗ । ବର୍ତ୍ତମାନ ସେ ବିଦେଶରେ ଏହି ରୋଗର ଚିକିତ୍ସା କରୁଛନ୍ତି । ଚିକିତ୍ସା କରିବା ସହ ସେ ପ୍ରତିଦିନର ଖବର ମଧ୍ୟ ନିଜ ଟ୍ୱିଟର ଏବଂ ଇନଷ୍ଟାଗ୍ରାମ ଆପରେ ପୋଷ୍ଟ କରିଥାନ୍ତି । ତେବେ ନିକଟରେ ତାଙ୍କର ଆଉ ଏକ ଭାବପ୍ରବଣ ଭିଡିଓ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଭିଡିଓ ପୋଷ୍ଟ କରି ରିଏଲିଟି ସୋ ‘ଇଣ୍ଡିଆଜ ବେଷ୍ଟ ଡ୍ରାମେବାଜ’ ଫାଇନାଲିଷ୍ଟଙ୍କ ପାଇଁ ସେ ଏହି ଭିଡିଓ ସନ୍ଦେଶ ଦେଇଛନ୍ତି । ସେ ସମସ୍ତ ଫାଇନାଲ ରାଉଣ୍ଡ ପ୍ରତିଯୋଗୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ହେଲେ ଚିକିତ୍ସିତ ହେଉଥିବା ସୋନାଲି ଫିନାଲେ ସୋ’ରେ ସାମିଲ ହେଉନଥିଲେ ବି ପ୍ରତିଯୋଗୀଙ୍କୁ ଉତ୍ସାହିତ କରିଛନ୍ତି । ପୂର୍ବରୁ ଏହି ରିଏଲିଟି ସୋ’ରେ ବିଚାରପତି ଭାବେ ବିବେକ ଓବରାଏ, ଓମଙ୍ଗ କୁମାରଙ୍କ ସହ ସୋନାଲି ଜଜ୍ ରହୁଥିଲେ । ହେଲେ କ୍ୟାନସର ପୀଡିତ ହେବା ପରେ ସୋନାଲି ବେନ୍ଦ୍ରେ ସୋ’ରୁ ଦୂରେଇ ଯାଇଥିଲେ ଏବଂ ତାଙ୍କ ସ୍ଥାନରେ ଅଭିନେତ୍ରୀ ହୁମା କ୍ୟୁରେସୀ ଜଜ୍ ହୋଇଥିଲେ ।