ଭୁବନେଶ୍ୱର: ବିଜେଡିରେ ବଢୁଛି କି ଅସନ୍ତୋଷ? ଯଦି ନାହିଁ ତେବେ ବିଜେଡିର ବରିଷ୍ଠ ଖଣ୍ଡପଡା ବିଧାୟକ ତଥା ସମ୍ବାଦ ଖବରକାଗଜର ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କାହିଁ ସର୍ବସମ୍ମୁଖରେ ନବୀନଙ୍କ ଶାସନ ଉପରେ ଉଠାଇଲେ ପ୍ରଶ୍ନ? କାହିଁ ନବୀନଙ୍କୁ ତୃତୀୟ ନୟନର ଆବଶ୍ୟକତା ରହିଥିବା କହିଲେ ସୌମ୍ୟରଞ୍ଜନ? ଖବରକାଗଜ ପ୍ରଜାତନ୍ତ୍ରର ପ୍ରତିଷ୍ଠା ଦିବସରେ ଯୋଗଦେଇ ସୌମ୍ୟରଞ୍ଜନ ଦଳରେ ଥାଇ ମଧ୍ୟ ଦଳ ସୁପ୍ରିମୋ ତଥା ତାଙ୍କ ଦୁଇ ଆଖିଙ୍କୁ ଟାର୍ଗେଟ କରିବାକୁ ପଛେଇ ନାହାନ୍ତି ।
ସୌମ୍ୟଙ୍କ ଅନୁଯାୟୀ, ନବୀନଙ୍କ ଗୋଟିଏ ଆଖି ବବି ବାବୁ । ଅନ୍ୟଟି ମିଷ୍ଟର ପାଣ୍ଡିଆନ । ଏହି ଦୁଇ ଆଖିରେ ନବୀନ ଦୁନିଆ ଦେଖୁଛନ୍ତି । ଦୁଇ ଆଖି ଯାହା ଦେଖାଉଛନ୍ତି ତାହା ମଣିମାଙ୍କ ପାଇଁ ସତ । ଯଦି କୌଣସି କୌଣସି କାରଣରୁ ନିଜ ନିଜ ସ୍ୱାର୍ଥରୁ ଆଖିଗୁଡିକ ଅଲଗା ଅଲଗା ଦେଖିବାକୁ ଚେଷ୍ଟାକଲେ, ଯଦି ଆଖି କାଉକୁ ଧଳା ପକ୍ଷୀ କହିଲା ଓ ମଣିମା ଯଦି କହିଲେ ହଁ ଏବେ କାଉଗୁଡିକ ଧଳା ହେବାକୁ ଆରମ୍ଭ କଲେଣି । କାଉ ପାଉଁଶିଆ ଦେଖାଗଲେଣି… ତାହେଲେ ଶାସନରେ ନିଶ୍ଚିତ ଭାବେ ବିଭ୍ରାଟ ହେବ । ଏଦୁଇ ଆଖି ସବୁବେଳେ ସତ କଥା କହିପାରିବେ ଏହାର ଗ୍ୟାରେଣ୍ଟି ନାହିଁ । ତେଣୁତ ଚାଲାକ ଚତୁର ଶାସକଙ୍କୁ ତୃତୀୟ ନୟନର ଆବଶ୍ୟକତା ପଡିଥାଏ । ସେଥିପାଇଁ ରାଜାମାନେ, ମହାରାଜାମାନେ ଅନ୍ଧାରି ବିଜେ କରନ୍ତି । ଛଦ୍ମବେଶରେ ନିଜ ଅଞ୍ଚଳକୁ ଯାଇ କିପରି ଶାସନ ଚାଲିଛି ତାହା ଦେଖିବାକୁ ଚେଷ୍ଟା କରନ୍ତି । ଆମ ଗଣମାଧ୍ୟମ ଏହି ତୃତୀୟ ନୟନର ଭୂମିକା ନିର୍ବାହ କରି ପାରିବ କି?
ସୌମ୍ୟ ରଞ୍ଜନଙ୍କର ଏପରି କହିବା ଅର୍ଥ କଣ? କଣ ଖଣ୍ଡପଡା ବିଧାୟକଙ୍କର ରାଜ୍ୟ ଶାସନ ଓ ପ୍ରଶାସନ ଉପରେ ଭରସା ନାହିଁ? କଣ ସେ ଭାବୁଛନ୍ତି ଦୁଇ ଆଖି ଦ୍ୱାରା ନବୀନ ଭ୍ରମିତ ହେଉଛନ୍ତି? ଅବଶ୍ୟ ସୌମ୍ୟଙ୍କ କଥାରୁ ସେମିତି କିଛି ସଙ୍କେତ ମିଳୁଛି । ନୋହିଲେ ରାଜା ମହାରାଜାମାନଙ୍କ ଅନ୍ଧାରି ବିଜେ କଥା କହିନଥାନ୍ତେ । ସେ ଅନୁଭବ କରୁଛନ୍ତି, ନବୀନଙ୍କ ଦୁଇ ଆଖି ଦୁନିଆର ବାସ୍ତବ ଦୃଶ୍ୟ ତାଙ୍କୁ ଦେଖିବାକୁ ଦେଉ ନାହାନ୍ତି । ରାଜା ମହାରାଜାଙ୍କ ପରି ମଣିମା ନିଜେ ଛଦ୍ମ ବେଶରେ ତୃଣମୂଳସ୍ତରକୁ ଯାଇ ଜନତାଙ୍କ ସହ ସିଧା ସଳଖ ସମ୍ପର୍କ ସ୍ଥାପନ କରିବାର ଆବଶ୍ୟକତା ଅନୁଭବ କରିଛନ୍ତି ବିଧାୟକ । ଅର୍ଥାତ୍ ସେ ନିଜ ବିଚକ୍ଷଣ ବୁଦ୍ଧି ମାଧ୍ୟମରେ ସାଙ୍କେତିକ ଭାଷାରେ କହିଛନ୍ତି, କରୋନା ସଂକ୍ରମଣ କାଳରୁ ମଣିମା ଏକାନ୍ତବାସରେ ରହିଛନ୍ତି । ଦଳୀୟ କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ ନାହିଁ । ଦୁଇ ଆଖି ଯାହା ଦେଖାଉଛନ୍ତି ତାକୁ ଦେଖୁଛନ୍ତି । ତେଣୁ ସବୁ ସମୟରେ ଦୁଇ ଆଖି ସତ କହିବେ ତାର ଗ୍ୟାରେଣ୍ଟି ନାହିଁ ବୋଲି ସୌମ୍ୟରଞ୍ଜନ କହିଛନ୍ତି । ବାସ୍ତବ ଚିତ୍ରକୁ ସ୍ୱଚକ୍ଷୁରେ ଦେଖିବାକୁ ସେ ପରୋକ୍ଷରେ ମଣିମାଙ୍କୁ ଅନୁରୋଧ କରିଛନ୍ତି । ସେହିପରି ତୃତୀୟ ନୟନର ଭୂମିକା ଗଣମାଧ୍ୟମ ନେଇ ପାରିବେ କି ବୋଲି ଯେଉଁ ପ୍ରଶ୍ନ କରିଛନ୍ତି, ଏଥିରେ ମଧ୍ୟ ଗୁଢ ଅସନ୍ତୋଷ ରହିଛି ତାଙ୍କ ମନରେ । ଗଣମାଧ୍ୟମ ଆଜି ପଥଭ୍ରଷ୍ଟ ହେବାରେ ଲାଗିଛି । ଶାସକ ଦଳ ନେତାଙ୍କ ହାତ ବାରିଶି ସାଜିଛି । ତେଣୁ ମଣିମା ଗଣମାଧ୍ୟମର ଖବରରୁ ଭ୍ରମିତ ହେଉଛନ୍ତି । ଯଦି ଗଣମାଧ୍ୟମ ନିଜର ପ୍ରକୃତ ଭୂମିକା ତୁଲାଇବେ, ଯଦି ବାସ୍ତବ ଚିତ୍ର ଓ ସତ୍ୟକୁ ପରିବେଷଣ କରିବାରେ ସକ୍ଷମ ହେବେ ତେବେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିପଥ ସ୍ପଷ୍ଟ ହେବ । ଶାସନ ପ୍ରକ୍ରିୟାରେ ଆସିଥିବା ଭ୍ରଷ୍ଟାଚାର, ଦୁର୍ନୀତି ଦୂର କରି ମଣିମା ସ୍ୱଚ୍ଛତା ଆଣିପାରିବେ ବୋଲି ପରୋକ୍ଷରେ ସୌମ୍ୟ ଗଣମାଧ୍ୟମକୁ ଆହ୍ୱାନ ଦେଇଛନ୍ତି ।