ଭୁବନେଶ୍ୱର: ରାଜ୍ୟକୁ ତାତିରୁ ମିଳିଲା ଆଶ୍ୱସ୍ତି । ଗରମ ଓ ଗୁଳୁଗୁଳି ରୁ ତ୍ରାହି ପାଇବେ ଲୋକେ । ଏଥର ରାଜ୍ୟରେ ଆରମ୍ଭ ହୋଇଯାଇଛି ଦକ୍ଷିଣ ପଶ୍ଚିମ ମୌସୁମୀ ବର୍ଷା । ଶୀତଳ ହୋଇଯାଇଛି ଓଡିଶା । ମାଲକାନଗିରି ସହ କୋରାପୁଟ ଓ ଗଜପତି ଜିଲ୍ଲାର କେତେକ ଭାଗରେ ମୌସୁମୀ ପ୍ରବେଶ କରିଛି । ଦିନେ ଦୁଇ ଦିନ ମଧ୍ୟରେ ସାରା ରାଜ୍ୟରେ ମୌସୁମି ବାୟୁ ଛୁଇଁବ ବୋଲି କହିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଗାମି ୪ରୁ ୫ ଦିନ ମଧ୍ୟରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆଜି ଜଗତସିଂହପୁର, କେନ୍ଦ୍ରାପଡ଼ା, ପୁରୀ, ଗଞ୍ଜାମ ଓ କନ୍ଧମାଳରେ ପ୍ରବଳରୁ ଅତିପ୍ରବଳ ବର୍ଷାର ସମ୍ଭାବନା ରହିଥିବା ବେଳେ ଦକ୍ଷିଣ ଓଡିଶାର ସବୁ ଜିଲ୍ଲା ଓ ଆଭ୍ୟନ୍ତରୀଣ ଓଡିଶାର କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । କେତେକ ସ୍ଥାନରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହୋଇପାରେ। ଏହା ଫଳରେ ଆଗାମୀ ୪ରୁ ୫ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୩ରୁ ୫ଡିଗ୍ରା ପର୍ଯ୍ୟନ୍ତ କମିପାରେ। ସେପଟେ ପଶ୍ଚିମ- କେନ୍ଦ୍ରୀୟ ଓ ସଂଲଗ୍ନ ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବାର ସମ୍ଭାବନା ରହିଛି ।