(ଗୋପ / ଜୟନ୍ତକୁମାର ସେଠୀ) : ପୁରୀ ଜିଲ୍ଲା ପିପିଲି ବିଧାନସଭା ଉପ-ନିର୍ବାଚନ ନିମନ୍ତେ ଆସନ୍ତା ୧୭ ତାରିଖ ଦିନ ମତଦାନ ହେବ । ମତଦାନ ନିମନ୍ତେ ଦିବ୍ୟାଙ୍ଗ ମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ଏଥିପାଇଁ ୧୦୨ଟି ଗାଡି ବ୍ୟବସ୍ଥା କରାଯାଇଛି । ମତଦାନ ଦିନ ସେମାନେ ରହୁଥିବା ସ୍ଥାନରୁ ସଂପୃକ୍ତ ମତଦାନ କେନ୍ଦ୍ରକୁ ନେବା ଆଣିବାରେ ସହାୟକ ହେବ । ମତଦାନର ୭ଦିନ ପୂର୍ବରୁ ଯୋଗ୍ୟ ଦିବ୍ୟାଙ୍ଗ ଭୋଟର ମାନଙ୍କୁ ବାହାନ ପ୍ରମାଣ ପତ୍ର ବଣ୍ଟନ କରାଯିବ । ଏଥିସହ ବ୍ଲକ ମୁଖ୍ୟାଳୟରେ ମତଦାନ କେନ୍ଦ୍ର ଗୁଡିକ ପାଇଁ ୩୪୮ଟି ହ୍ବିଲ ଚେୟାର ପ୍ରସ୍ତୁତ ରହିଛି । ଦିବ୍ୟାଙ୍ଗ ମାନଙ୍କ ସହାୟତା ପାଇଁ ପ୍ରତ୍ୟେକ ବୁଥରେ ଦୁଇଜଣ ସ୍ବେଚ୍ଛାସେବୀ ନିୟୋଜିତ ହେବେ । ଏଥିପାଇଁ ଜାତୀୟ ସେବା ସଂସ୍ଥା, ନେହେରୁ ଯୁବ କେନ୍ଦ୍ର, ସ୍ବୟଂ ସହାୟକ ଗୋଷ୍ଠୀ, ବେସରକାରୀ ସଂସ୍ଥାର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯିବ । ଏଥିସହ ମତଦାନ ଦିନ ଭୋଟର ପରିଚୟ ପତ୍ର ନିଜ ସାଙ୍ଗରେ ଆଣିବାକୁ ଭୋଟର ମାନଙ୍କୁ ପରାମର୍ଶ ଦିଆଯାଇଛି । ଭୋଟର ପରିଚୟ ପତ୍ର ନଥିଲେ ଆଧାର କାର୍ଡ, ମହାତ୍ମା ଗାନ୍ଧି ନରେଗା କାର୍ଡ, ନିଜ ଫୋଟ ଥିବା ବ୍ୟାଙ୍କ କିମ୍ବା ପୋଷ୍ଟ ଅଫିସ ପାସବୁକ,ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ପ୍ରଦତ୍ତ ସ୍ବାସ୍ଥ୍ୟବୀମା କାର୍ଡ, ଡ୍ରଇଭିଂ ଲାଇସେନ୍ସ, ପ୍ୟାନ କାର୍ଡ, ଆରଜିଆଇ ପକ୍ଷରୁ ଜାରି ସ୍ମାର୍ଟ କାର୍ଡ, ଭାରତୀୟ ପାସପୋର୍ଟ, ଫଟୋଥିବା ପେନସନ କାଗଜପତ୍ର, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥାରେ କାର୍ୟ୍ୟରତ ପରିଚୟ ପତ୍ର, ସାଂସଦ ଓ ବିଧାୟକ ମାନଙ୍କୁ ପ୍ରଦତ୍ତ ସରକାରୀ ପରିଚୟ ପତ୍ର ମଧ୍ୟରୁ ଯେ କୌଣସିକୁ ଭୋଟର ମାନେ ପରିଚୟ ପତ୍ର ଭାବେ ଦେଖାଇ ପାରିବେ ବୋଲି ପରାମର୍ଶ ଦିଆଯାଇଛି । ଏତଦବ୍ୟତୀତ ପ୍ରାଥୀ ମାନେ ସଭା ଓ ଶୋଭାଯାତ୍ରା ସଂକ୍ରାନ୍ତୀୟ ବିଭିନ୍ନ ଅନୁମତି ପାଇଁ ଜିଲ୍ଲା ଜରୁରୀକାଳିନ କେନ୍ଦ୍ରକୁ ୧୯୫୦ ମାଧ୍ୟମରେ ଯୋଗାଯୋଗ କରିପାରିବେ ।
ସୂଚାନୁଯାୟୀ , ପିପିଲି ଉପ ନିର୍ବାଚନର ଅଶୀ ବର୍ଷରୁ ଉର୍ଦ୍ଧ ବୟସର ଭୋଟର ମାନଙ୍କ ନିମନ୍ତେ ପୋଷ୍ଟାଲ ବାଲାଟ ଆଜି ସକାଳ ସାଢେ ୮ ଘଟିକା ସମୟରେ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟରୁ ପିପିଲି ଅଭିମୁଖେ ବାହାରିଥିଲା। ତେବେ ପିପିଲି ବିଧାନସଭା ନିର୍ବାଚନ ମଣ୍ଡଳୀରେ ୮୨୧୨ ଜଣ ଅଶି ବର୍ଷ ବୟସରୁ ଉର୍ଦ୍ଧ୍ବ ଓ ଦିବ୍ୟାଙ୍ଗ ଭୋଟର ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୭୭ ଜଣ ପୋଷ୍ଟାଲ ବାଲାଟ ମାଧ୍ୟମରେ ଭୋଟ ଦେବାକୁ ସମ୍ମତି ପ୍ରଦାନ କରିଛନ୍ତି । ସେଥିମଧ୍ୟରୁ ଡେଲାଙ୍ଗରେ ୭୧୨ ଓ ପିପିଲିରେ ୩୬୫ ଜଣ ରହିଛନ୍ତି । ଅଶି ବର୍ଷ ବୟସରୁ ଉର୍ଦ୍ଧ୍ବ ୯୦୯ ଜଣ ଓ ଦିବ୍ୟାଙ୍ଗ ଭୋଟର ୧୬୮ ଜଣ ରହିଛନ୍ତି ।