ଭାରତ ପାଇଁ ଗୌରବ ଆଣିଲେ ଓଡ଼ିଆ ପୁଅ

ଜନ୍ମ ମାଟିରେ ରମେଶ ମୁଣ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

0

ଯୋଡ଼ା/ରମେଶ ଚନ୍ଦ୍ର ମହାପାତ୍ର : ଜନ୍ମ ମାଟିରେ ରମେଶ ମୁଣ୍ଡାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା | ଚାଇନାର ମକାଉ ଠାରେ ଅନୁଷ୍ଠିତ ଏକାଦଶ ଏସିଆ ସବ୍ ଜୁନିଅର ଉଷୁ ଚାମ୍ପିଅନସିପ୍ – ୨୦୨୩ ରେ ସ୍ଵର୍ଣ୍ଣ ପଦକ ହାସଲକରି ଭାରତପାଇଁ ଗୌରବ ଆଣିଛନ୍ତି ରମେଶ | କେନ୍ଦୁଝର ଜିଲ୍ଲା ଯୋଡ଼ା ବ୍ଲକ ଅଧିନସ୍ଥ ଦେଓଝର ପଞ୍ଚାୟତ ସିଆଲିଜୋଡାର ରମେଶ ମୁଣ୍ଡାଙ୍କୁ ସିଆଲିଜୋଡା ସ୍ଥିତ ସ୍ପୋଡସ କମ୍ପ୍ଲେକ୍ସ ଠାରେ ଜିନ୍ଦଲ ଫାଉଣ୍ଡେସନ ଦ୍ୱାରା ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଛି । ଚାଇନାର ମକାଉ ସହରରେ ଚଳିତ ଅଗଷ୍ଟ ମାସ ୧୪ ରୁ ୨୧ ତାରିଖ ପର୍ଯ୍ୟନ୍ତ ଉଷୁ ଚାମ୍ପିଅନସିପ୍ ଅନୁଷ୍ଠିତ ହୋଇଥିଲା । ଫାଇନାଲ ମ୍ୟାଚରେ ଇଣ୍ଡୋନେସିଆକୁ ହରାଇ ସ୍ଵର୍ଣ୍ଣ ପଦକ ହାସଲ କରି ଦେଶ ପାଇଁ ଗୌରବ ଅର୍ଜନ କରିଥିଲେ ରମେଶ ।

ସୁଦୂର ଚାଇନାରୁ ଆସି ରମେଶ ପ୍ରଥମେ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚି ଥିଲେ । ସେଠାରେ ତାଙ୍କୁ ଓଡ଼ିଶା ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ସେ ଜନ୍ମ ମାଟି ସିଆଲିଜୋଡା ଠାରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ବିଲେଇପଦା ଛକରେ ପହଞ୍ଚିବା ପରେ ତାଙ୍କର ସହପାଠୀ ଓ ଶୁଭେଚ୍ଛୁମାନେ ତାଙ୍କୁ ଫୁଲମାଳ ପିନ୍ଧାଇ ବନ୍ଦାପନା କରି ସ୍ବାଗତ ଜଣାଇବା ସହ ବାଜା,ବାଣ ରୋଷଣୀ ଏକ ବିରାଟ ଶୋଭାଯାତ୍ରାରେ ପାଛୋଟିନେଇଥିଲେ । ଡିଜେ ଓ ଢୋଲର ତାଳେ ତାଳେ ନାଚରେ ମସଗୁଲ ହୋଇଯାଇଥିଲେ ସମସ୍ତେ । ଜିନ୍ଦଲ ଷ୍ଟିଲ ଏଣ୍ଡ୍ ପାୱାର କମ୍ପାନୀ ପକ୍ଷରୁ ସିଆଲଯୋଡ଼ା ସ୍ପୋର୍ଟସ କମ୍ପ୍ଲେକ୍ସ ପରିସରରେ ସ୍ବତନ୍ତ୍ର ସମ୍ବର୍ଦ୍ଧନା ସଭା ଆୟୋଜିତ ହୋଇଥିଲା । ସଭାରେ ରମେଶ ମୁଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯିବା ସହିତ କୋଚ୍ ପଙ୍କଜ ମହାନ୍ତଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା ।