ଗୋପ/ ଜୟନ୍ତ କୁମାର ସେଠୀ: ପ୍ରାଚୀକ୍ଷେତ୍ରରୁ ଶ୍ରୀକ୍ଷେତ୍ର ଯାଇଛି ଫଳଭାର । ୧୦୮ ଗଡୁ ଜଳରେ ସ୍ନାନ ପରେ ଜ୍ୱରରେ ପୀଡିତ ଶ୍ରୀଜିଉଙ୍କୁ ସୁସ୍ଥ କରିବା ପାଇଁ ଲାଗିଛନ୍ତି ଦଇତାପତି ସେବାୟତ । ବିଶ୍ୱନିୟନ୍ତା ଅଣସର ଘରେ ଥିବା ବେଳେ ବିଭିନ୍ନ ନୀତିକାନ୍ତି କରାଯାଉଛି । ଏହି ଅବସରରେ ଶ୍ରୀଜୀଉଙ୍କ ମାମୁଁ ଘର ମାଧବନନ୍ଦ ଓ କାକଟପୁର ପ୍ରାଚୀକ୍ଷେତ୍ର ବିଶ୍ଵାମିତ୍ର ମଠରୁ ବନୌସଦ୍ଧି, ବନ ସୁସ୍ୱାଦୁ ଫଳଭାର ଶ୍ରୀକ୍ଷେତ୍ର ପଠାଯାଇଛି । ଏହାକୁ ଅଣସର ଭାର ବୋଲି କୁହାଯାଏ । ପ୍ରାଚୀ ତଟରେ ଥିବା ମଠ, ମନ୍ଦିର ଏବଂ ଗ୍ରାମାବାସୀଙ୍କ ଠାରୁ ସଂଗୃହିତ ଆମ୍ବ, ପଣସ, ଖଜୁରୀ, ନଡିଆ, ସପୁରୀ, ସେଓ ଭଳି ଅନେକ ପ୍ରକାର ଫଳ ପୁରୀ ପଠାଯାଇଛି । ଏହି ଭାରକୁ ପୁରୀର ହାତି ଆଖଡା ମଠରେ ଶ୍ରୀମନ୍ଦିର ପ୍ରଶାସନ ଗ୍ରହଣ କରିବା ପରେ ଶ୍ରୀଜିଉଙ୍କୁ ଲାଗି କରାଯିବାର ପରମ୍ପରା ରହିଛି ।