ଜଗନ୍ନାଥ ସେନା ପକ୍ଷରୁ ଅକ୍ଟୋବର ୩ ତାରିଖ ଓଡ଼ିଶାବନ୍ଦ ଡାକରା

ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦୁଆର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରାଯାଉ ବୋଲି ଦାବି କରିଛି ଜଗନ୍ନାଥ ସେନା  

0

ପୁରୀ : ଭକ୍ତଙ୍କ ଲାଗି ଶ୍ରୀ ଜଗନ୍ନାଥ ମନ୍ଦିରର ଚାରିଦୁଆର ଖୋଲିବା ସହ ରତ୍ନଭଣ୍ଡାର ଖୋଲି ସ୍ୱର୍ଣ୍ଣାଳଙ୍କାରର ମଣତି କରାଯାଉ ବୋଲି ଦାବି କରିଛି ଜଗନ୍ନାଥ ସେନା। ଶ୍ରୀମନ୍ଦିର ପରିଚାଳନା କମିଟି ଆସନ୍ତା ରଥଯାତ୍ରା ସମୟରେ ରତ୍ନଭଣ୍ଡାର ଖୋଲିବା ପାଇଁ ନିସ୍ପତ୍ତି ନେଇଥିବା ବେଳେ ଏହାର କଡା ପ୍ରତିବାଦ କରିଛନ୍ତି। ରଥଯାତ୍ରାରେ ଖୋଲାଯିବା ଅର୍ଥ ନିର୍ବାଚନ ସରିଯାଇଥିବ। ଏଣୁ ସରକାର ପୁଣି ଲୋକଙ୍କୁ ଅନ୍ଧାରରେ ରଖିବେ। ରତ୍ନଭଣ୍ଡାରରେ ମହାପ୍ରଭୁଙ୍କ ସ୍ୱର୍ଣ୍ଣ ଆଭୁଷଣ ଅସୁରକ୍ଷିତ ରହିଛି। ମଣତି ହେଲେ ସରକାରଙ୍କ ତୃଟି ପଦାରେ ପଡିଯିବ ବୋଲି ନଖୋଲିବା ପାଇଁ ଷଡଯନ୍ତ୍ର ଚାଲିଛି। ରତ୍ନଭଣ୍ଡାର ଚାବି ରଘୁବିର ଦାସ କମିଶନ ସରକାରଙ୍କ ନିକଟରେ ଦାଖଲ କରିଛନ୍ତି। ରତ୍ନଭଣ୍ଡାର ଖୋଲିବାରେ କୌଣସି ଅସୁବିଧା ନାହିଁ। ଏଣୁ ରଥଯାତ୍ରା ନୁହେଁ ଏବେ ରତ୍ନଭଣ୍ଡାର ଖୋଲାଯାଇ ମରାମତି କରାଯିବା ସହ ସ୍ୱର୍ଣ୍ଣାଳଙ୍କାରର ମଣତି କରାଯାଉ। ନଚେତ ଜଗନ୍ନାଥ ସେନା ଆନ୍ଦୋଳନାତ୍ମକ ପନ୍ଥା ଆପଣାଇବ।

ସେପଟେ ରତ୍ନଭଣ୍ଡାର ଖୋଲିବା ଓ ଭକ୍ତଙ୍କ ଲାଗି ଶ୍ରୀମନ୍ଦିର ଚାରିଦ୍ୱାର  ଖୋଲିବା ଦାବି ନେଇ ଆଗାମୀ ଅକ୍ଟୋବର ୩ତାରିଖରେ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା। ଅକ୍ଟୋବର ତିନି ତାରିଖ ମଙ୍ଗଳବାର ଶାନ୍ତିପୂର୍ଣ୍ଣ ବାର ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ସମର୍ଥନ ଓ ସଫଳ କରିବାକୁ ବିନମ୍ର ଅନୁରୋଧ କରିଛନ୍ତି ଜଗନ୍ନାଥ ସେନା ଆବାହକ। ତେବେ ଶ୍ରୀମନ୍ଦିରରେ ଧାଡି ଦର୍ଶନକୁ ବିରୋଧ କରି ୨୦୧୮ ଅକ୍ଟୋବର ୩ରେ ପୁରୀ ବନ୍ଦ ଡାକରା ଦିଆଯାଇଥିଲା। ଯାହା ପରବର୍ତ୍ତୀ ସମୟରେ ଦଙ୍ଗାର ରୂପ ନେଇଥିଲା। ଆଜି ବି ଅକ୍ଟୋବର ୩ ଦଙ୍ଗାକୁ ଭୁଲିନାହାଁନ୍ତି ପୁରୀବାସୀ। ପୁଣି ସେହି ଅକ୍ଟୋବର ୩ରେ ଶାନ୍ତିପୂର୍ଣ୍ଣ ଓଡିଶା ବନ୍ଦ ଡାକରା ଦେଇଛି ଜଗନ୍ନାଥ ସେନା।