ଆସନ୍ତାକାଲି ଶ୍ରୀଜିଉଙ୍କ ସ୍ନାନଯାତ୍ରା ,ଆଜି ୧୨ଟା ପର୍ଯ୍ୟନ୍ତ ଦର୍ଶନ ମନା

ଆଜି ପୂର୍ବାହ୍ନରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ରହିଛି ।

0

(ପୁରୀ) : ଆଜି ପୂର୍ବାହ୍ନରୁ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ରହିଛି । ଏହି କାରଣରୁ ମହାପ୍ରଭୁଙ୍କ ଦର୍ଶନ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ବିଜ୍ଞପ୍ତି ଜାରି କରିଛି । ଆସନ୍ତାକାଲି ଅର୍ଥାତ ମଙ୍ଗଳବାର ମହାପ୍ରଭୁଙ୍କ ସ୍ନାନଯାତ୍ରା । ଏହି ନୀତି ନିମନ୍ତେ ମହାପ୍ରଭୁ ରତ୍ନ ସିଂହାସନରୁ ସ୍ନାନବେଦିକୁ ପହଣ୍ଡି ବିଜେ କରିବେ ।

ଆଜି ନୀତି ଅନୁଯାୟୀ ଦଇତାପତି ସେବକ ପ୍ରଭୁଙ୍କ ଶ୍ରୀଅଙ୍ଗରେ ବାହୁଟ ଓ ସେନାପଟା ଲଗା ଆରମ୍ଭ କରିବେ । ଦଇତାପତିଙ୍କ ସେନାପଟା ଲାଗି ବିଧି ଶେଷ ହେବା ପରେ ଅପରାହ୍ନରେ ମଙ୍ଗଳ ଆଳତିରୁ ମଙ୍ଗଳବାର ନୀତି ଆରମ୍ଭ ହେବ । ସୋମବାର ବିଳମ୍ବିତ ରାତିରେ ମହାପ୍ରଭୁଙ୍କ ଚଉଠି ହୋମ ସରିବା ପରେ ମହାପ୍ରଭୁଙ୍କ ଦେବସ୍ନାନ ମଣ୍ଡପକୁ ପହଣ୍ଡି ବିଜେ ପ୍ରସ୍ତୁତି ଆରମ୍ଭ କରିବାକୁ ଦଇତାପତି ସେବକ ପ୍ରସ୍ତୁତି ଚଳାଇଛନ୍ତି । ୧୪ ତାରିଖ ଭୋର ୪ଟାରେ ସ୍ନାନବେଦିକୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ସମୟ ନିର୍ଦ୍ଧାରିତ ହୋଇଛି ।

ସୂଚନାନୁଯାୟୀ , ସ୍ନାନଯାତ୍ରା ପ୍ରସ୍ତୁତି ନିମନ୍ତେ ରବିବାରଠାରୁ ଦଇତାପତି ସେବକ ସ୍ନାନଶୁଦ୍ଧି ହୋଇ ପ୍ରସ୍ତୁତି କରିବା ସହ ବଡ଼ଦେଉଳକୁ ଭୋର ୬ଟାରୁ ପ୍ରବେଶ କରିଛନ୍ତି । ବଡ଼ଦେଉଳରେ ସନ୍ଧ୍ୟାଧୂପ ପରେ ଦଇତାପତି ସେବକ ରାତି ପାଖାପାଖି ଏଗାରଟା ବେଳେ ଗର୍ଭଗୃହକୁ ବାହୁଟ କଣ୍ଟ ବିଧି ପାଳନ ନିମନ୍ତେ ପ୍ରବେଶ କରିଥିଲେ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଆବଶ୍ୟକ ବାହୁଟ କଣ୍ଟ ବିଧି ବିଳମ୍ବିତ ରାତିରେ ଅନୁପାଳନ କରିଥିଲେ । ଏହାପରେ ବଡ଼ସିଂହାର ଭୋଗ ସରିବା ପରେ ପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ସେବା ସମ୍ପନ୍ନ ହୋଇଥିଲା ।