ଗଞ୍ଜାମ (ରଜନୀକାନ୍ତ ପାତ୍ର) : ଜିଆରଏସଙ୍କୁ ଛୁରୀ ମାରି ହତ୍ୟା। ଗଞ୍ଜାମ ଜିଲ୍ଲା ବୁଗୁଡ଼ା ଥାନା ଅନ୍ତରପଡ଼ା ଛକ ନିକଟରେ ଜିଆରଏସଙ୍କୁ ଛୁରା ମାଡ଼। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ତାଙ୍କ ନାଁ ସୁକାନ୍ତ ପାଣିଗ୍ରାହୀ ଓ ଘର କଳମ୍ବ ଗାଁ ବୋଲି ଜଣାପଡିଛି। ସେ ଆଜି ସକାଳ ୧୧ ଘଣ୍ଟା ସମୟରେ ନିଜ ଗ୍ରାମ କଳମ୍ବରୁ ବାଇକ୍ ଯୋଗେ ବୁଗୁଡ଼ା ବ୍ଲକ କାର୍ଯ୍ୟାଳୟକୁ ଯାଉଥିବା ସମୟରେ ସେହି ଗ୍ରାମ ନିକଟରେ ଅଜଣା ଦୁର୍ବୃତ୍ତଙ୍କ ଛୁରା ମାଡରେ ଆକ୍ରମଣର ଶିକାର ହୋଇଥିଲେ । ସୁକାନ୍ତ ବୁଗୁଡ଼ା ବ୍ଲକର ଏ.କରଡ଼ାବାଡ଼ି ଓ ଶଙ୍କୁରୁ ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟ କରୁଥିଲେ। ଛୁରାମାଡ଼ ପରେ ସୁକାନ୍ତଙ୍କୁ ପ୍ରଥମେ ବୁଗୁଡ଼ା ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଉଥିଲା । କିନ୍ତୁ ରାସ୍ତାରେ ସୁକାନ୍ତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ଅଧାବାଟରେ ପୋଲସରା ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ସ୍ଥାନୀୟ ବିଧାୟକ ଶ୍ରୀକାନ୍ତ ସାହୁ, ବୁଗୁଡ଼ା ବ୍ଲକ ଉପାଧ୍ୟାକ୍ଷ ମାନସ ରଞ୍ଜନ ପ୍ରଧାନ ପହଞ୍ଚି ଶେଷ ଦର୍ଶନ କରିଥିଲେ l