ବାଲିକୁଦା: ସ୍ୱାମୀଙ୍କ ପଛେ ପଛେ ଚାଲିଗଲେ ସ୍ତ୍ରୀ । ସ୍ୱାମୀଙ୍କ ଅନ୍ତିମ ସଂସ୍କାର ନ ସରୁଣୁରୁ ପତ୍ନୀଙ୍କ ପାଇଁ ସଜା ହେଲା ଯୁଇ । ଏକା ସାଙ୍ଗରେ ଜଳିଲା ଦୁଇ ଜଣଙ୍କ ଚିତା । ଦିନେ ହୋମ ନିଆଁକୁ ସାକ୍ଷୀ ରଖି ବନ୍ଧନରେ ବାନ୍ଧି ହୋଇଥିଲେ, ଆଜି ଯୁଇର ନିଆଁକୁ ସାକ୍ଷୀ ରଖି ଚିର ଦିନ ପାଇଁ ମୃତ୍ୟୁକୁ ଆଲିଙ୍ଗନ କରି ନେଲେ ବାଲିକୁଦାର ଦୁଇ ଦମ୍ପତ୍ତି । ଏମିତି ଏକ ହୃଦୟ ବିଦାରକ ଘଟଣା ଘଟିଛି ବାଲିକୁଦା ବ୍ଲକ ଅଢଙ୍ଗା ପଞ୍ଚାୟତ ଅନ୍ତର୍ଗତ ଦେବ ଗାଁରେ । ସ୍ୱାମୀଙ୍କ ମୃତ୍ୟର ଖବର ସହି ନପାରି ହୃଦଘାତରେ ପ୍ରାଣ ହରାଇଛନ୍ତି ପତ୍ନୀ ବିଷ୍ଣୁପ୍ରିୟା ।
ଶନିବାର ସକାଳେ ଗାଁର ହରିଶ୍ଚନ୍ଦ୍ର ମହାନ୍ତି କଟକ ଏସସିବିରେ ଚିକିତ୍ସିତ ଅବସ୍ଥାରେ ପ୍ରାଣ ହରାଇଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁ ଖବରକୁ ସହଜରେ ସହ୍ୟ କରି ପାରି ନଥିଲେ ପତ୍ନୀ ବିଷ୍ଣୁପ୍ରିୟା । ଫଳରେ ସେହି ଦିନ ରାତିରେ ହିଁ ପତ୍ନୀ ବିଷ୍ଣୁପ୍ରିୟା ମଧ୍ୟ ପ୍ରାଣ ହରାଇଥିଲେ । ଦେହ ଅସୁସ୍ଥ ଥିବାରୁ ହରିଶ୍ଚନ୍ଦ୍ରଙ୍କ ସହ ପତ୍ନୀ ବିଷ୍ଣୁପ୍ରିୟା ମଧ୍ୟ ମେଡିକାଲରେ ଥିଲେ । ତେବେ ତାଙ୍କର ଦେହାନ୍ତ ହେବା ପରେ ତାଙ୍କୁ ଗାଁକୁ ଅଣାଯାଇଥିଲା । କିନ୍ତୁ ସ୍ୱାମୀଙ୍କ ମୃତ୍ୟୁର ଦଃୁଖରେ ମ୍ରିୟମାଣ ହୋଇ କନ୍ଦରପୁରଠାରେ ପତ୍ନୀ ବିଷ୍ଣୁପ୍ରିୟାଙ୍କର ହୃଦଘାତ ହୋଇଥିଲା । ତେବେ ମେଡିକାଲକୁ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଫଳରେ ବାପାଙ୍କ ସହିତ ମାଆଙ୍କ ଚିତାରେ ନିଆଁ ଦେବାକୁ ପଡିଥିଲା ପୁଅମାନଙ୍କୁ । ଗୋଟିଏ ସ୍ମଶାନରେ ପତି ପତ୍ନୀ ଉଭୟଙ୍କର ହୋଇଛି ଅନ୍ତିମ ସଂସ୍କାର ।