(ହରପ୍ରସାଦ ବିଶୋଇ) ଭୁବନେଶ୍ୱର: ଇ- ବିଧାନ ସମ୍ପର୍କରେ ଅଧ୍ୟୟନ କରିବାକୁ ହିମାଚଳପ୍ରଦେଶ ଗସ୍ତରେ ଯାଇଥିବା ଓଡିଶା ବିଧାନ ସଭା ଗୃହ କମିଟି ସିମଲାରେ ପହଞ୍ôଚ ହିମାଚଳପ୍ରଦେଶ ବାଚସ୍ପତି ରାଜୀବ ବ୍ରିନ୍ଦଲଙ୍କୁ ସାକ୍ଷାତ କରିଛନ୍ତି । ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ନେତୃତ୍ୱରେ ଯାଇଥିବା ଏହି କମିଟି ବିଧାନସଭା କମ୍ପ୍ୟୁଟରୀକରଣ ସମ୍ପର୍କରେ ପ୍ରତ୍ୟକ୍ଷ ଜ୍ଞାନ ଆହରଣ କରିବେ ।
ଉଭୟ ରାଜ୍ୟର ବାଚସ୍ପତିଙ୍କ ମଧ୍ୟରେ ବାର୍ତ୍ତାଳାପ ପରେ କମିଟିର ସଦସ୍ୟ, ସଦସ୍ୟାମାନେ ହିମାଚଳ ପ୍ରଦେଶ ବିଧାନସଭାର ବିଭିନ୍ନ ଶାଖା ପରିଦର୍ଶନ କରିଛନ୍ତି ଓ ଇ- ବିଧାନ ପ୍ରକଳ୍ପ କାର୍ଯ୍ୟାନୟନ ସମ୍ପର୍କିତ ଆଲୋଚନା କରିଛନ୍ତି । ହିମାଚଳ ପ୍ରଦେଶ ବିଧାନସଭାର ଅଧିବେଶନ ବେଳେ କମିଟି ଏହାର ବିବରଣୀର ପ୍ରତ୍ୟକ୍ଷ ଅନୁଭୂତି ଲାଭ କରିଛନ୍ତି । ବିଧାନସଭା ବିବରଣୀ, ପ୍ରଶ୍ନୋତ୍ତର, ବିଲ, ଆଇନ, ପ୍ରସ୍ତାବ ଆଲୋଚନାର ସମସ୍ତ ସୂଚନା କିଭଳି ଅନଲାଇନରେ ଉପଲବ୍ଧ ହେଉଛି ସେ ନେଇ ସେଠାକାର ସମ୍ପୃକ୍ତ ପଦାଧିକାରୀଙ୍କୁ ପଚାରି ବୁଝିଛନ୍ତି । ବାଚସ୍ପତି ପାତ୍ରଙ୍କ ସମ୍ମାନାର୍ଥେ ସେଠା ମୁଖ୍ୟମନ୍ତ୍ରୀ ଜୟରାମ ଠାକୁର ମଧ୍ୟାହ୍ନ ଭୋଜନର ଆୟୋଜନ କରିଛନ୍ତି । ଏହି ଅବସରରେ ଡ ପାତ୍ର, ମୁଖ୍ୟମନ୍ତ୍ରୀ ଜୟରାମ ଠାକୁରଙ୍କ ସହ ଅଲୋଚନା କରିଛନ୍ତି ।
ଏହି କମିଟିରେ ବିରୋଧୀ ଦଳ ନେତା ପ୍ରଦିପ୍ତ କୁମାର ନାୟକ, ସଂସଦୀୟ ବ୍ୟାପାର ଓ ଜଙ୍ଗଲ ପରିବେଶ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିଦ୍ୟୁତ ଓ ସମନ୍ୱୟ; ପ୍ରଜୁକ୍ତି, କ୍ରିଡା ଓ ଯୁବବ୍ୟାପାର ମନ୍ତ୍ରୀ ତୁଷାର କାନ୍ତି ବେହେରା, ସରକାରୀ ମୁଖ୍ୟ ସଚେତକ ପ୍ରମିଳା ମଲିକ, ବିଧାୟକ ତାରାପ୍ରସାଦ ବାହିନୀପତି, ସୁବାଷ ଚନ୍ଦ୍ର ପାଣିଗ୍ରାହୀ, ବିଧାନସଭା ସଚିବ ଦାଶରଥୀ ଶତପଥୀ, ବିଧାନସଭା ବ୍ୟକ୍ତିଗତ ସଚିବ ପୂର୍ଣ୍ଣଚନ୍ଦ୍ର ଦଲାଲ, ଉପ ବିଧାନସଭା ଅଧିକାରୀ ଆଶିସ ରଂ ଖୁଣ୍ଡିଆ, ସାମ୍ବାଦିକ ଦିଲୀପ ମହାନ୍ତି ପ୍ରମୁଖ ସାମିଲ ଅଛନ୍ତି ।