ଆୟୁଷ୍ମାନ ଯୋଜନା  ସମେତ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ  ରାଜ୍ୟ କ୍ୟାବିନେଟ ମଞ୍ଜୁରୀ

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟରେ ୭ଟି ବିଭାଗରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସନ୍ଧ୍ୟାରେ ଏନେଇ ଗୃହରେ ସୂଚନା ଦେଇଛନ୍ତି।  ଓଡିଶାର ଜନସାଧାରଣଙ୍କ ପାଇଁ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାକୁ ମିଳିତ ଭାବେ ଲାଗୁ କରିବା ପାଇଁ ରାଜ୍ୟ ସରକାର  ଜାତୀୟ ସ୍ଵାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ସହ ବୁଝାମଣା ପତ୍ର ସ୍ଵାକ୍ଷର କରିଛନ୍ତି।

ଏହି ନୂଆ ସମନ୍ୱିତ ଯୋଜନାରେ ପ୍ରାୟ ୧.୦୩ କୋଟି ପରିବାରର ୩.୪୬ କୋଟି ହିତାଧିକାରୀ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ଓ ମହିଳା ସଦସ୍ୟ ମାନେ ଅତିରିକ୍ତ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା (Cashless Treatment) ସୁବିଧା ପାଇବେ । ଏହା ସହ, ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସ୍କ, ଆର୍ଥିକ ବର୍ଗ ନିର୍ବିଶେଷରେ, ସମସ୍ତ ବ୍ୟକ୍ତି ମାନଙ୍କ ପାଇଁ ‘ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନା’ ଲାଗୁ କରାଯିବ ।  ଏହା ଦ୍ଵାରା ସେମାନେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କାର ଦେୟ ମୁକ୍ତ ଚିକିତ୍ସା ପାଇ ପାରିବେ । ଉଭୟ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ କାର୍ଯ୍ୟକାରୀ ହେଲେ:

(କ) ହିତାଧିକାରୀ ମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ଦେୟମୁକ୍ତ ଚିକିତ୍ସା ପାଇବେ। ପୂର୍ବରୁ କେବଳ ୯୦୦ ହସ୍ପିଟାଲରେ ଏହି ସୁବିଧା ମିଳୁଥିଲା ।

(ଖ) AB PMJAY କାର୍ଯ୍ୟାନ୍ୱୟନ ପାଇଁ ଓଡ଼ିଶା ସରକାର ଭାରତ ସରକାରଙ୍କ ଠାରୁ କେନ୍ଦ୍ରୀୟ ଅଂଶଧନ ପାଇବେ ।

ସେହିପରି, ଆୟୁଷ୍ମାନ ବୟୋ-ବନ୍ଦନା ଯୋଜନାରେ ୭୦ ବର୍ଷ ବା ତଦୁର୍ଦ୍ଧ୍ଵ ବୟସର  ବ୍ୟକ୍ତିମାନେ ସାରା ଦେଶର ୨୯ ହଜାର ତାଲିକାଭୁକ୍ତ ଘରୋଇ ଏବଂ ସରକାରୀ ହସ୍ପିଟାଲରେ ପରିବାର ପିଛା ବାର୍ଷିକ ୫ ଲକ୍ଷ ଟଙ୍କା ମୂଲ୍ୟର ଦେୟମୁକ୍ତ ଚିକିତ୍ସା ପାଇପାରିବେ । ଓଡ଼ିଶାର ଅଧିକ ୬ ଲକ୍ଷ ନୂଆ ହିତାଧିକାରୀ ଏଥିରେ ସାମିଲ ହେବାର ଆଶା କରାଯାଉଛି । ସୂଚନାଯୋଗ୍ୟ ଯେ, ରାଜ୍ୟର ସବୁ ସରକାରୀ ଡାକ୍ତରଖାନାରେ ସମସ୍ତ ନାଗରିକମାନଙ୍କ ପାଇଁ ଦେୟମୁକ୍ତ ଚିକିତ୍ସା ବର୍ତ୍ତମାନ ପରି ଚାଲୁରହିବ । ରାଜ୍ୟ କ୍ୟାବିନେଟ୍ AB PMJAY- GJAY ବାବଦକୁ ୫ ବର୍ଷ, ଅର୍ଥାତ ୨୦୨୫-୨୬ ରୁ ୨୦୨୯-୩୦ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ୨୭ ହଜାର ୧୯ କୋଟି ୨୫ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ଅନୁମୋଦନ କରିଛନ୍ତି ।