ୟୁନିଟ-୧ ଆଦିବାସୀ ପଡିଆରେ ହେବ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା – ୨୦୨୪

0

ଭୁବନେଶ୍ୱର : ଭୁବନେଶ୍ୱର ସ୍ଥତ ୟୁନିଟ-୧ ଆଦିବାସୀ ପଡିଆରେ ଅନୁଷ୍ଠିତ ହେବ ରାଜ୍ୟ ସ୍ତରୀୟ ଆଦିବାସୀ ମେଳା – ୨୦୨୪ । ଏହାକୁ ଆସନ୍ତା ୨୬ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଉଦଘାଟନ କରିବେ ବୋଲି କାର୍ଯ୍ୟକ୍ରମ ରହିଛି । ଏଥିପାଇଁ ପ୍ରସ୍ତୁତି କାର୍ୟ୍ୟ ଶେଷପର୍ୟ୍ୟାୟରେ ପହଞ୍ଚିଛି। ଚଳିତବର୍ଷ ମେଳା ପରିସରରେ ୧୦୭ଟି ଷ୍ଟଲ୍ରେ ଜନଜାତିଙ୍କ ବିଭିନ୍ନ କାରିଗରୀ ଓ ହସ୍ତଶିଳ୍ପ ସାମଗ୍ରୀ ପ୍ରଦର୍ଶିତ ଓ ବିକ୍ରିବଟା ପାଇଁ ବ୍ୟବସ୍ଥା ହୋଇଛି। ଏହାସହ ୧୦ଟି ଘର ବା ଆଦିବାସୀ ଗ୍ରାମରେ ଝଲସିବ ଜନଜାଜତିଙ୍କ ଜୀବନଶୈଳୀ। ଜନଜାତି ସ୍ୱୟଂ ସହାୟକ ଗୋଷ୍ଠୀ ପ୍ରକୋଷ୍ଠ, ଆଦିବାସୀ ହାଟ, ଆଦିବାସୀ କଳା ସାମଗ୍ରୀ, ଖାଦ୍ୟ ବଜାର ଆଦି ମେଳାର ଆକର୍ଷଣ ପାଲଟିବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବାସ କରୁଥିବା ୬୨ଶ୍ରେଣୀର ଆଦିବାସୀବର୍ଗଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରିବା ଲକ୍ଷ୍ୟରେ ପ୍ରତିବର୍ଷ ରାଜଧାନୀ ଭୁବନେଶ୍ୱରରେ ‘ଆଦିବାସୀ ମେଳା’ ଆୟୋଜନ କରାଯାଇଥାଏ। ଆଦିବାସୀମାନଙ୍କର ହସ୍ତଶିଳ୍ପ, କଳାକୃତି, କୃଷିଜାତ ସାମଗ୍ରୀ ଏବଂ ସେମାନଙ୍କ ଦ୍ୱାରା ଜଙ୍ଗଲରୁ ସଂଗୃହୀତ ଦ୍ରବ୍ୟ ଗୁଡ଼ିକ ପ୍ରଦର୍ଶିତ କରାଇବା ଓ ସେସବୁର ବିକ୍ରି ନିମନ୍ତେ ଏକ ବଜାର ସୃଷ୍ଟି କରିବା ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଥିବା ବେଳେ ଜନଜାତି ବର୍ଗଙ୍କର ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଜୀବନଯାପନ ଶୈଳୀକୁ ରାଜ୍ୟ ବାସୀଙ୍କ ସହ ପରିଚିତ କରାଇବା ମଧ୍ୟ ଅନ୍ୟ ଏକ ଲକ୍ଷ୍ୟ। ଓଡ଼ିଶା ସରକାରଙ୍କ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପୃଷ୍ଠପୋଷକତାରେ ଏହି ମେଳା ଅନୁଷ୍ଠିତ ହୋଇଆସୁଛି। ଚଳିତ ବର୍ଷ ମେଳା ଜାନୁଆରୀ ୨୬ ତାରିଖରୁ ଫେବୃଆରୀ ୫ତାରିଖ ପର୍ୟ୍ୟନ୍ତ ୧୧ଦିନ ପର୍ଯ୍ୟନ୍ତ ଚାଲିବ ବୋଲି କୁହାଯାଉଥିବା ବେଳେ ଏହା ସର୍ବସାଧାରଣଙ୍କ ନିମନ୍ତେ ଅପରାହ୍ଣ ୨ଟାରୁ ରାତି ୧୦ ଟା ପର୍ୟ୍ୟନ୍ତ ଖୋଲା ରହିବ।