ଓୟୁଏଟିରେ ଚାଲିଥିବା ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ଉଦଯାପିତ

0

ଭୁବନେଶ୍ୱର: ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅନୁକୁଲ୍ୟରେ ଗତ ୩ ଦିନ ଧରି ଚାଲିଥିବା ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ୨୦୨୪-୨୫ ଉଦଯାପିତ ହୋଇଛି I ବିଶ୍ୱବିଦ୍ୟାଳୟର ଡ଼. ଏମ ଏସ ସ୍ୱମୀନାଥଂନ କକ୍ଷଠାରେ ୩ ଦିନ ଧରି ଚାଲିଥିବା ଏହି ବୈଠକରେ ନାନାଦି ଉପାଦେୟ ବିଷୟରେ ଆଲୋଚନା ହୋଇଛି I ଆଇସିଏଆର ଏନଆରଆରଆଇ କଟକର ନିର୍ଦେଶକ ଡ଼. ଏ. କେ. ନାୟକ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କୃଷି କ୍ଷେତ୍ରରେ ଓୟୁଏଟିର ଅବଦାନ ଉପରେ ମତ ରଖିଥିଲେ I ଖାଲି ସେତିକି ନୁହେଁ ବିଶ୍ୱବିଦ୍ୟାଳୟସ୍ତରରେ ଏଥିପାଇଁ ନାନାଦି ଗବେଷଣା, ନୂତନ ବୈଷୟିକ ଜ୍ଞାନ କୌଶଳର ଉଦ୍ଭାବନ କୃଷି କ୍ଷେତ୍ରକୁ ଆହୁରି ମାର୍ଜିତ କରିପାରିଛି ବୋଲି ସେ କହିଛନ୍ତି I ଆଗାମୀ ଦିନରେ ପ୍ରାକୃତିକ ସମ୍ବଳକୁ ବ୍ୟବହାର କରି କିପରି କୃଷି କ୍ଷେତ୍ରରେ ନୂତନ ଉପଲବ୍ଧି ମିଳିପାରିବ ସେ ନେଇ ଚେଷ୍ଟା କରିବାକୁ ହେବ ବୋଲି ଡ଼. ନାୟକ କହିଛନ୍ତି I ଏଥିପାଇଁ ଆବଶ୍ୟକ ମାନବ ସମ୍ବଳ, ଅତ୍ୟାଧୁନିକ ଜ୍ଞାନ କୌଶଳ, ଉନ୍ନତ ଯନ୍ତ୍ରପାତିର ଆବଶ୍ୟକତାକୁ ପୂରଣ କରିବାକୁ ପରାମର୍ଶ ଦେଇଛନ୍ତି I

ବିଗତ ୩ ଦିନ ଧରି ଚାଲିଥିବା ଏହି ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ୨୦୨୪-୨୫ ବିଶ୍ୱବିଦ୍ୟାଳୟ ପାଇଁ ବହୁ ମାତ୍ରାରେ ଲାଭଦାୟକ ତଥା ଆଗାମୀ ଦିନରେ ଯୋଜନା ପ୍ରସ୍ତୁତି ପାଇଁ ଉପାଦେୟ ହେବ ବୋଲି କାର୍ଯ୍ୟକ୍ରମରେ ପୌରାହିତ୍ୟ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଭାତ କୁମାର ରାଉଳ କହିଛନ୍ତି I କୃଷି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ହୋଇଥିବା କାର୍ଯ୍ୟପନ୍ଥାକୁ ନେଇ ସେ ନିଜ ମତ ରଖିଥିଲେ I ଏହାସହ ଆଗାମୀ ଦିନରେ ଆହୁରି ଗବେଷଣାକୁ ତ୍ୱରାନ୍ୱିତ କରିବା ସହ ଛାତ୍ରଛାତ୍ରୀଙ୍କୁ ଏ ଦିଗରେ ଆଗେଇବା ପାଇଁ ପରାମର୍ଶ ଦେଇଛନ୍ତି I ଏପରିକି ପ୍ରତି କୃଷି ବିଜ୍ଞାନ କେନ୍ଦ୍ର ଗୋଟିଏ ଗୋଟିଏ ଗାଁକୁ ପୋଷ୍ୟ ଗ୍ରାମ ଭାବେ ନେଇ ତାକୁ ସ୍ମାର୍ଟ ଗ୍ରାମରେ ପରିଣତ କରିବାକୁ କହିଛନ୍ତି I

ସେହିପରି କାର୍ଯ୍ୟକ୍ରମରେ କୃଷି ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ହୃଷିକେଶ ପାତ୍ର ଯୋଗ ଦେଇ ନୂତନ ଗବେଷଣା ଉପରେ ମତ ରଖିଥିଲେ I କୃଷି ସମ୍ପ୍ରସାରଣ ଓ ଶିକ୍ଷା ନିର୍ଦ୍ଦେଶାଳୟର ଅଧ୍ୟକ୍ଷ ପ୍ରଫେସର ପ୍ରସନଜିତ ମିଶ୍ର ରାଜ୍ୟସ୍ତରୀୟ ଗବେଷଣା ଓ ସମ୍ପ୍ରସାରଣ ପରିଷଦ ବୈଠକ ୨୦୨୪-୨୫ରେ ଓୟୁଏଟିର କାର୍ଯ୍ୟ ଖସଡ଼ାକୁ ନେଇ ଏକ ଉପସ୍ଥାପନା ରଖିଥିଲେ I କୃଷି କ୍ଷେତ୍ରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ଚାଲିଥିବା ବିଭିନ୍ନ ଯୋଜନାର ସଫଳ ରୂପାୟନ ସହ ଆଗାମୀ ଦିନର ଯୋଜନାକୁ ନେଇ ମତ ରଖିଥିଲେ I ଏହି ଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ବିଭିନ୍ନ ଗବେଷଣାମୂଳକ ପୁସ୍ତକ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଛି I କାର୍ଯ୍ୟକ୍ରମକୁ ବିଶ୍ୱବିଦ୍ୟାଳୟର ଗବେଷଣା ଅଧ୍ୟକ୍ଷ ପ୍ରଫେସର ସଂଗ୍ରାମ କେଶରୀ ସ୍ୱାଇଁ ସ୍ୱାଗତ ଭାଷଣ ଦେଇ ଆରମ୍ଭ କରିଥିବା ବେଳେ ଯୁଗ୍ମ ନିର୍ଦେଶକ, ସମ୍ପ୍ରସାରଣ ଡ଼. ଅମରେଶ ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ I