ବାଲି ମାଫିଆଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ…

0

ବଡ଼ଚଣା: (ବେଦପ୍ରକାଶ ନାୟକ) ୧୦/୦୩/୨୦୨୫ ତାରିଖରେ ରାଜ୍ୟରେ ଚୋରା ବାଲି ମାଫିଆଙ୍କ ବିରୋଧରେ  କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟ ରାଜ୍ୟ ତମାମ ପୋଲିସ ପକ୍ଷରୁ ଚଢ଼ାଉ ଜାରି ରହିଛି। ରାଜ୍ୟର ସମସ୍ତ ଜିଲ୍ଲା ପୋଲିସ ବାଲି ମାଫିଆଙ୍କ ବିରୋଧରେ ଚଢ଼ାଉ ଅଭିଯାନ ଜାରି ରଖିଛନ୍ତି। ଏହି କ୍ରମରେ ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି। ରବିବାର ସକାଳୁ ରାତି ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାର ପୋଲିସର ସ୍ୱତନ୍ତ୍ର ଟିମ ବିଭିନ୍ନ ଚୋରା ବାଲିଘାଟ ଉପରେ ଚଢାଉ କରି ୯୧ଟି ବାଲି ବୋଝେଇ ଟ୍ରାକ୍ଟର, ଟ୍ରକ, ଟିପର ଓ ହାଇୱା ଜବତ କରାଯାଇଛି। ଏହା ସହ ୮୭ ଟି ମାମଲା ରୁଜୁ କରାଯାଇଥିବା ବେଳେ ୯୬ ଜଣ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ଏହି ଧରପଗଡ଼ ଲଗାତାର ଭାବେ ଚାଲିବ। ବଡ଼ଚଣା ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ବେଆଇନ ବାଲି ଓ ମାଟି ବୋଝେଇ କରି ଯାଉଥିବା ୩ ହାଇୱାକୁ ଜବତ କରାଯାଇଛି।ଜବତ ଗାଡ଼ିଗୁଡ଼ିକ ହେଲା (ଓଡି୦୪ୟୁ୫୭୮୬), (ଓଡି୨୨ଡନ୍ତୁ ୮୭୨୦) ଓ (ଓଡି୦୪ଜେ ୮୧୯୫)। ପୋଲିସ ଗୋଟିଏ ବାଲି ବୋଝେଇ ହାଇୱାକୁ  ବଡ଼ଚଣା ମେଡିକାଲ ପଛପଟୁ ଓ ୨ ମାଟି ବୋଝେଇ ହାଇୱାକୁ ଚଣ୍ଡିଖୋଲ ନିକଟ ଖୋଷଲୀପୁର ଠାରୁ ଜବତ କରିଛି। ବଡ଼ଚଣା ମେଡିକାଲ ପଛପଟେ ଏକ ହାଇୱା ବାଲି ବୋଝେଇ କରି ଆସୁଥିବା ଖବର ପାଇ ପୋଲିସ ଚଢ଼ାଉ କରି ତାହାକୁ ଜବତ କରିବା ସହ ଚାଳକ ଙ୍କୁ ଅଟକ ରଖୁଥିଲା। ସେହିପରି ଖୋସାଲିପୁର ଠାରେ ୨ ହାଇୱା ମାଟି ଵୋଝେଇ କରୁଥିବା ଖବରପାଇ ପୋଲିସ ଚଢାଉ କରିଥିଲା। ଏହି ସମୟରେ ଗାଡ଼ିଚାଳକ ଫେରାର ହୋଇ ଯାଇଥିଲା। ପୋଲିସ ୨ ହାଇୱାକୁ ଜବତ କରି ଥାନାକୁ ଆଣିଥିଲା। ଏନେଇ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କୁ ଯୋଗାଯୋଗ କରଯାଇଛି। ବିଭାଗୀୟ ଅଧିକାରୀ ପହଞ୍ଚିବା ପରେ ଜରିମାନା ଆଦାୟ କରାଯିବ ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ସୂଚନା ଦେଇଥିଲେ।ବାଲି, ମୋରମ ଚୋରା କାରବାର ସମ୍ପର୍କରେ ସ୍ଥାନୀୟ ବ୍ୟକ୍ତି ବିଶେଷ ପୋଲିସକୁ ସୂଚନା ମଧ୍ୟ ଦେଇପାରିବେ। ରାଜ୍ୟରେ ଚୋରା ବାଲି ଚାଲାଣ ରୋକିବାକୁ ଆଗାମୀ ଦିନରେ ମଧ୍ୟ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିବ।